Unknown

 

 

 

 

 

 

 

 

 

ଉତ୍କଳିକା

ରାଧାମୋହନ ଗଡ଼ନାୟକ

 

 

ପଦେ ଅଧେ.........

 

‘ଉତ୍କଳିକା’ ମୋର ବହୁ ଦିନର ସ୍ୱପ୍ନ । ଆଜି ଏତେ ଦିନେ ସହୃଦୟ ପାଠକପାଠିକାମାନଙ୍କ ଆଗରେ ଆତ୍ମପ୍ରକାଶ କରିଚି ମାତ୍ର; ତଥାପି ଏହା ଅସାମପିକା ।

 

ମୁଁ ଏଥିରେ ଯେଉଁ କଥାବସ୍ତୁର ବ୍ୟବହାର କରିଅଛି, ତହିଁରେ ଐତିହାସିକ ସତ୍ୟ ଅଛି । ମହାବୀର ନେପୋଲିୟନ ତାକୁଇ କହିଛନ୍ତି ଇତିହାସ– ‘‘Fables that have been agreed upon” ଉତ୍କଳର ପୁରପଲ୍ଲୀ, ଲୋକମୁଖରେ ଏଇ ଧରଣର କେତେ ଯେ କଥା ଓ ଲେଖା ବିକ୍ଷିପ୍ତ ରହିଚି ତାର ଇୟତ୍ତା ନାହିଁ । ସେ ସବୁର ସନ୍ଧାନ ଓ ଉଦ୍ଧାର ଅଜିଇ ପ୍ରତ୍ୟେକଙ୍କର ଲକ୍ଷ୍ୟ । ତାହାହେଲେ ଆଜି ଏ ଜାତି ଆଗରେ ଠିଆହୁଅନ୍ତା ଏକ ଅଖଣ୍ଡ ଅଭିନବ ଉତ୍କଳ...

 

‘ଉତ୍କଳିକା’ ଅନେକଙ୍କର ପ୍ରାଣରେ ନୂତନ ଦ୍ୟୋତନା ଆଣିପାରିଲେ ମୋର ସ୍ୱପ୍ନ ସତ୍ୟ ହେବ ବୋଲି ଭାବୁଚି ।

 

ରାଧାମୋହନ ଗଡ଼ନାୟକ

ସୁନିଆଁ, କଟକ

Image

 

 

 

 

 

 

 

 

 

ଆଉ ପଦେ

 

ଉତ୍କଳିକା ଯେଉଁ ଉଦ୍ଦେଶ୍ୟରେ ଲେଖା ଯାଇଥିଲା ,

ତା କିଞ୍ଚିତ ସଫଳ ହୋଇଚି ।

 

ରାଧାମୋହନ ଗଡ଼ନାୟକ

Image

 

ସୂଚିପତ୍ର

 

୧.

ବିଶ୍ୱଜୀବନ ପଥେ

୨.

ସ୍ମରଣିକା

୩.

ମରିନାହିଁ ସେ ତ ମରଣ-ଜୟୀ

୪.

ଅନ୍ଧର ଚକ୍ଷୁଲାଭ

୫.

ଭାଇ

୬.

ଦୀନକୃଷ୍ଣ ଦାସ

୭.

ବୀରରାଣୀ ଶୁକ ଦେଈ

୮.

ଚଢ଼େଇ ପିଲା

୯.

ବିସର୍ଜ୍ଜନ

୧୦.

ପ୍ରଭାବତୀର ଅଭିଯାନ

୧୧.

ମଦନମଶିର ଗାନ

୧୨.

ବାଇମୁଣ୍ଡି

୧୩.

ମଣିକାଞ୍ଚନ ଯୋଗ

Image

 

ବିଶ୍ୱ ଜୀବନ ପଥେ

 

ଘନ ଅମ୍ବୁଦେ

ଭରି ଉଠିଅଛି

ପୁରୀର ଆକାଶ ପଥ

ଟିପି ଟିପି ଟିପି

ବିନ୍ଦୁ-ବରଷା

ଲାଗିଅଛି ଅବିରତ ।

ସିନ୍ଧୁର ବୁକେ

ବିପ୍ଳବ ତୋଳି

ଜାଗି ଉଠୁଅଛି ଝଡ଼,

ଝାଉଁ-ବନ-ବୀଥି

ମାଦକତା ପିଇ

ଗର୍ଜ୍ଜୁଚି ମରମର ।

ସ୍ୱୈର ସୁହାଗେ ମାତି

ଚଣ୍ଡ ବତାସ

ଶୀତ ଶୀତ୍କାରେ

ଥରାଇ ଦେଉଚି ଛାତି ।

ପୁରୀର ଗୋଟିଏ

କ୍ଷୁଦ୍ର ନିବାସେ

କେତେକ ବନ୍ଧୁ ପାଶେ,

ଚିନ୍ତିତ ଗୋପ-

ବନ୍ଧୁ ସେଦିନ

କହିଲେ ସଜଳ ଭାଷେ;

“ଦେଖୁଅଛ ତୁମେ

ଚିକିତ୍ସା ନିତି”

ଲାଗିଅଛି ନାନାମତେ

ଭଲ ହେବାର ତ

ଲକ୍ଷଣ କିଛି

ଦେଖା ଯାଉନାହିଁ ମତେ ।

ଆଶା ରହୁନାହିଁ ଆଉ,

ଅଜ୍ଞାତେ ମୋର

ଅନ୍ତରେ କିବା

କରୁଅଛି ଚାଉଁ ଚାଉଁ ।”

“ତୁମେ କି କରିବ ?”

ଜଗତେ ମଣିଷ

ଚେଷ୍ଟା କରଇ ସିନା

ଫଳରେ ତାହାର

ଅଧିକାର ନାହିଁ

ଦୈବ ଶକତି ବିନା ।

ଇଙ୍ଗିତେ ଯାର

ବିଶ୍ୱ ଭୁବନ

ହେଉଅଛି ଆତଯାତ

ନିଶ୍ଚୟ ତୁମ

ମନର ବେଦନା

ବୁଝିବେ ଜଗନ୍ନାଥ ।

ତୁମ ଭଳି ଲୋକ ଯେବେ

ସବୁ ଜାଣ ଜାଣୁ

ଏପରି ହୋଇବ ଆମେ

କି କରିବୁ ତେବେ ?”

ନିର୍ମ୍ମମ ଏକ

ସମ୍ବାଦ ତେବେ

ମିଳିଲା ଅକସ୍ମାତ

କୁଶଭଦ୍ରାର

ବକ୍ଷେ ଜାଗିଚି

ବନ୍ୟାର ବିତ୍ପାତ ।

ପ୍ରଳୟର ସ୍ରୋତେ

ଭାସି ଯାଇଅଛି

ଶତ ଶତ ଘରଦ୍ୱାର

ପ୍ରଳୟର ସ୍ରୋତେ

ଡୁବି ଯାଇଅଛି

ଶତ ଶତ ପରିବାର

ଗୋପ ଅଞ୍ଚଳ ଧରି

ଉଠୁଚି କାତର

ହାହାକାର ରତ

ଗଗନ ମଥିତ କର ।

“ଉତ୍କଳ ପରେ

ନିୟତିର ଏ ତ

ନିଷ୍ଠୁର ପରିହାସ ।”

ବିକ୍ଷୋଭେ ଜଣେ

ଜଣାଇଲା ତହୁଁ

ହୃଦୟର ଉଚ୍ଛ୍ୱାସ

“ପ୍ରଳୟଙ୍କର

ବନ୍ୟା ମଡ଼କ

ଦୁର୍ଭିକ୍ଷର ଦାଉ”

ବରଷ ବରଷ

ଗ୍ରାସି ଦେଉଅଛି

ଚନ୍ଦ୍ରମାରେ କି ରାହୁ ।

ଶକ୍ତି ଯାଉଛି ତୁଟି

ଅନ୍ୟ ଦେଶର

ସଙ୍ଗେ ଏକ ଆଜି

କେହ୍ନେ ପାରିବ ଉଠି ?

ଅପର କହିଲେ,

“ଜ୍ଞାନ ଧନ ମାନ

କଳା ସଂସ୍କୃତି ବଳେ”

ଦର୍ପଭରେ

ଉଠିଥିଲା ଦିନେ

ବସୁନ୍ଧରାର ତଳେ ।

ଦୃପ୍ତ ପତାକା

ଉଡ଼ାଇଥିଲା ଏ

ମୁକ୍ତ ଗଗନ ବୁକେ

ଜୈତ୍ର ଗୀତିକା

ଉଠାଇଥିଲା ଏ

ଦିଗ୍‌ବିଦିଗର ମୁଖେ ।

ଅଭିଶପ୍ତ ଏ ଦେଶ

ଧରାତଳୁଁ ଦିନେ

ଏହିପରି ସିନା

ହୋଇଯିବ ନିଃଶେଷ ।”

ଶୁଣୁଥିଲେ ଗୋପବନ୍ଧୁ

ମଉନେ ବାହାରେ

ସତେ କି ଜଡ଼ !

ଆଜି ଦିନର ଏ

ଝଡ଼ଠାରୁ ବଳି

ଅନ୍ତରେ ଧରି ଝଡ଼ ।

ସମ୍ଭ୍ରମଭରେ

ନୟନରୁ ଢାଳି

ଅଶ୍ରୁର ଧାରା ଦୁଇ

କଂପ୍ର କଣ୍ଠେ

ଭାଷିଲେ ବଚନ,

ବାହାରିଲି ଏବେ ମୁହିଁ ।

ତୁମେ ଏବେ ମୋର ସାହା

ଲାଗିଲା ତୁମକୁ

ରୋଗୀଟିର ଭାର

ମୁଁ ମୋର ଧରୁଚି ରାହା ।”

“କାହିଁ ଯିବ ତୁମେ”

ପ୍ରଶ୍ନ ଉଠିଲା,

“ବାହାରୁଚ ଏବେ କାହିଁ ?”

“ବନ୍ୟାଞ୍ଚଳେ–

ବନ୍ୟା-ପୀଡ଼ିତ

ଜନତାର ସେବା ପାଇଁ ।”

“ଏକଇ ପୁତ୍ର

ରୋଗେ ବହୁଦିନୁ

ହୋଇଚି ଶଯ୍ୟାଗତ,

ଏତିକିବେଳକୁ

ଦିଶୁଚି ତୁମକୁ

ଜନତା-ସେବାର ପଥ ।

ଅଦ୍ଭୁତ ଏ ବିଚାର

ମରମତଳେ

ଏ ଚିନ୍ତା କିପରି

ଲଭିଅଛି ସଞ୍ଚାର ।

“ଗୃହର ଜୀବନ

ପରିଧିରେ ରଚି

ସମ୍ମୋହ-କାରାପୁରୀ

ବାହାରେ ଅଛି ଯେ

ବିପୁଳ ଜୀବନ

ମୁଁ ତ ନ ପାରିବି ଭୁଲି ।

ଏକର ସକାଶେ

ଅନେକର ଡାକ

ମୁଁ ତ ନ ପାରିବି ଏଡ଼ି,

ଛନ୍ଦ ନା ଏବେ

ଗରଣେ ମୋହର

ଅନ୍ଧ ମମତା-ବେଡ଼ି ।

ଦିଅ ଛାଡ଼ିଦିଅ ମତେ

ଚାଲିଯାଏ ଆଜି

ଚାଲିଯାଏ ମୁହିଁ

ବିଶ୍ୱଜୀବନ-ପଥେ ।”

ସହସା ଅପର

କକ୍ଷକୁ ଯାଇ

ପ୍ରିୟ ପତ୍ନୀର ପାଶେ

ବୁଝାଇ କହିଲେ

ମନର ବାସନା

ପ୍ରାଣର ଆକୁଳ ଭାଷେ ।

ବୁଝଇ କି କେବେ

ଜନ୍ମାଦୟିନୀ ?

ବୁଝଇ କି କେବେ ନାରୀ ?

ଅନ୍ତର ଯେବେ

ଅଶ୍ରୁ ଆବେଗେ

ଫାଟି ପଡ଼ୁଥାଏ ଖାଲି ।

“ଯିବା ପାଇଁ ଯଦି ଚାହଁ”

ମୋତେ ଆଗ ମାରି

ସନ୍ତାନଟିରେ

ମାରିଦେଇ ଚାଲିଯାଅ ।”

ଜୀବନର ମହା–

ମାୟା ସମ୍ମୁଖେ

ବଜ୍ର ସାଧନା ସାଧି

ନିର୍ବାକ ହୋଇ

ରହିଗଲେ ତହିଁ

ବଧିର ବିଶ୍ୱବାଦୀ ।

ଛଳ ଛଳ କରି

ଥରଟିଏ ଚାହିଁ

ପୀଡ଼ିତ ପୁତ୍ର ମୁଖେ

କ୍ଷିପ୍ର ଚରଣେ

ବାହାରି ପଡ଼ିଲେ

ମୁକ୍ତ ଧରଣୀ ବୁକେ ।

ଶୁଭୁଥିଲା ପଛଆଡ଼େ

“କେଡ଼େ ଅଦଭୂତ

ମଣିଷ ଏ ସତେ

ଜନମିଚି ସଂସାରେ ।”

କ୍ଳାନ୍ତ ଶରୀର,

ମଳିନ ବଦନ,

ପଞ୍ଚଦିବସ ପରେ,

ବନ୍ୟା ପୀଡ଼ିତ

ଅଞ୍ଚଳୁଁ ବୀର

ବାହୁଡ଼ିଲେ ପୁଣି ଘରେ,

ଅଶ୍ରୁ ନୁହଇ

ନୟନରୁ ଦେଇ

ହୃଦୟ ରକ୍ତ ଭରା

ପରୁଷ ବଚନେ

ପଚାରି ଉଠିଲେ

ବିଧୁରା ବତ୍ସ ହରା

“ଆଉ କି ଦେଖିବ ଏବେ ?”

ବାସନା ତୁମର

ପୂର୍ଣ୍ଣ ହେଲା ତ ?

ଆଉ କି ଇଚ୍ଛା ତେବେ ?

ବିଶ୍ୱ-ଦରଦୀ

ପାଷାଣ କଠୋର

ଧୈର୍ଯ୍ୟ ସାଧନ ଭରେ

ମରମ ତଳର

ଉଦ୍‌ଗତ ଲୁହ

ଚାପିନେଲେ ମରମରେ ।

କରୁଣ ଅଧରେ

ସ୍ମିତ ବିକଶାଇ

ଭାଷିଲେ ନବୀନ ଭାବ,

“ଲୁହ ପୋଛି ଏବେ

ଦେଖି ନିଅ ସଖି!

ଅଭିନବ ଏଇ ଲାଭ ।”

ଗୋଟିଏ ପୁତ୍ର ଦେଇ

ହୃଦୟେ ମୋହର

ଶତ ପୁତ୍ର ମୁଁ

କୁଢ଼ାଇ ଆଣିଚି ଏଇ ।”

Image

 

ସ୍ମରଣିକା

 

ମଣିମୟ ଅଟ୍ଟାଳିକା ପରେ

ପୁଲକିତ ଚଇତାଳି ରାତେ;

ମହାରାଜା କପିଳେନ୍ଦ୍ର ଦେବ

ବସିଥିଲେ ମହାରାଣୀ ସାଥେ ।

 

ସ୍ନିଗ୍‌ଧ କରି ନୈଶ ସମୀରଣ

 

ମୁଗ୍‌ଧ କରି ଫେନିଳ ଜୋଚ୍ଛନା,

 

ବଇଁଶୀର ବୁକୁ ଉଛୁଳାଇ

 

ତୋଳୁଥିଲେ ମଦିର ମୂର୍ଚ୍ଛନା ।

ଶୁଣୁ ଶୁଣୁ ବିମୁଗ୍‌ଧ ମହିଷୀ

ଅତର୍କିତେ ଉଠିଲେ ଉଚ୍ଚାରି,

“ପଚାରିବି ନିତି ନିତି ଭାବେ”

କେବେହେଲେ ପାରେ ନି ପଚାରି ।”

 

ହସି ହସି ଭାଷିଲେ ରାଜେନ୍ଦ୍ର

 

ପରିକାଶି ମରମର ଭାଷା

 

“ଏଇକ୍ଷଣି କହୁନାହଁ କିମ୍ପା

 

କି ଅବା ଯେ ତୁମର ଜିଜ୍ଞାସା ?”

“ସେଇ ଯେଉଁ ବଇଁଶୀ ଖଣ୍ଡିକ

ବଜାଉଚ,” ପଚାରିଲେ ରାଣୀ,

ରକ୍ତାରୁଣ ଚଟୁଳ ଅଧରେ

ଚହଟାଇ ସୁହାଗର ବାଣୀ

 

“ବାଉଁଶର ବଇଁଶୀ ଖଣ୍ଡିକ

 

ହୋଇଲାଣି ଜୀର୍ଣ୍ଣ ପୁରାତନ;

 

ତଥାପି ତ ଛାଡ଼ିପାରୁ ନାହଁ

 

ସତେ ଯେହ୍ନେ ପୀରତିର ଧନ ।”

ଉତ୍କଳର ଗଜପତି ତୁମେ,

ତବ ପୁରେ କି ଅବା ଦୁର୍ଲ୍ଲଭ,

କେଉଁ କଥା ଅପୂରୁବ ଭଲା ?

ନାହିଁ ଅବା କେଉଁ ବଇଭବ !

 

ରାଜହସ୍ତେ ସୁନାର ବଇଁଶୀ

 

ହେଲେ ସିନା ଦିଶନ୍ତା ଶୋଭନ,

 

ଉତ୍କଳର ରାଜେଶ୍ୱର ହୋଇ,

 

ତହିଁ କିବା ବଳୁ ନାହିଁ ମନ ?”

“ବଳୁ ନାହିଁ ମନ ମୋର ରାଣୀ ।”

କେବେହେଲେ ନ ବଳିବ ମନ,

ଏଇ ମୋର ବଇଁଶୀ ଖଣ୍ଡିକ

ଜୀବନର ଅତି ପ୍ରିୟଧନ ।

 

ପୂର୍ବେ ଯେବେ କିଶୋର ବୟସେ

 

ଗୋ-ଚାରଣ କରୁଥିଲି ମୁହିଁ

 

ଧେନୁପଲ ପଛେ ପଛେ ଧାଇଁ

 

ଘୁରୁଥିଲି ବିଲ-ବନ-ଭୂଇଁ;

ସେତେବେଳେ ଆଗୋ ପ୍ରିୟତମା ।

ସେତେବେଳେ ଏଇ ଖଣ୍ଡି ମୋର

କରିଥିଲି ପ୍ରାଣର ସଙ୍ଖାଳି

ହେଉଥିଲି ଆନନ୍ଦେ ବିଭୋର ।

 

ଥକିଗଲେ ପାଦ ଦୋ’ଟି ମୋର

 

ବଇଁଶିଟି ରଖି ମୋର ଓଷ୍ଠେ

 

ଗୋଷ୍ଠହରା ଗାଭୀଟିରେ ମୋର

 

ଡାକି ଆଣି ପାରୁଥିଲି ଗୋଷ୍ଠେ ।”

 

 

“ଆଜି ଆଉ ଗୋଚାରଣ ତୁମେ

କରୁ ନା ତ ବିଲ ବନେ ବୁଲି,

କେବଳ ଏ ବଇଁଶୀ ବଜାଇ

ଭଞ୍ଜୁନାହଁ ଜୀବନ ମାଧୁରୀ ।”

 

ଗୋଷ୍ଠହରା ଗାଭୀଟିରେ ଅବା

 

ଆଜି ତୁମେ ଡାକୁନାହଁ ଆଉ

 

ଆଜି ତୁମେ ଉତ୍କଟ ସମ୍ରାଟ

 

ଆଜି ତୁମେ ବୀର ମହାବାହୁ ।

ସୁବିଶାଳ ବଇଭବ ତବ

ସୁବିପୁଳ ମାଣିକ୍ୟ ରତନ

ଦିଗ୍‌ବିଦିଗେ ଦେଶ ଦେଶାନ୍ତରେ

ଉଡ଼ାଉଚ ଗୌରବ କେତନ ।

 

ଏତେ ଧନ ଏତେ ଗଉରବ

 

ଦେଶେ ଦେଶେ ଏତେ ସନମାନ

 

ବାଉଁଶର ବଇଁଶୀ ଖଣ୍ଡିକ

 

ତୁମ ପକ୍ଷେ ନୁହେ ଅପମାନ ?”

 

 

“ଅପମାନ ନୁହେ ଆଗୋ ରାଣୀ

ଏ ଯେ ମୋର ସମ୍ମାନର ମୂଳ,

କହ ଦେଖି ସୁନାର ବଇଁଶୀ

କାହୁଁ ହେବ ଏହା ସଙ୍ଗେ ତୁଳ ?”

 

ଦୈନ୍ୟ-କ୍ଳିଷ୍ଟ ଅତୀତର ସ୍ମୃତି

 

ଅବିରତ କରି ଅପାଶୋର

 

ରଖିଚି ଏ ବଇଁଶୀ ଖଣ୍ଡିକ

 

ପ୍ରିୟତମ ବନ୍ଧୁ ଏ ଯେ ମୋର ।

ମନରେ ମୋ ଲକ୍ଷ୍ୟ ଅଭିଳାଷ

କକ୍ଷହରା ହେଉଅଛି ଯେବେ,

ଏ ମୋର ବଇଁଶୀ ସ୍ୱରେ

କକ୍ଷେ ଡାକି ଆଣୁଚ ମୁଁ ତେବେ ।

 

ଉତ୍କଳର ଅଧିପତି ହୋଇ

 

ସଯତନେ ରଖିବି ସମ୍ପାଦି,

 

ମନେ ବହି ଶରଧା ସୁହାଗ

 

ବଜାଉଚି ମୁହିଁ ଦୁଃଖ-ବାଦୀ ।”

 

 

ପରାଜିତ କଣ୍ଠ ତୋଳି ତହୁଁ

ମାନମୟୀ ଉତ୍କଳର ରାଣୀ

ରକ୍ତାରୁଣ ଚଟୁଳ ଅଧରେ

ଫୁଟାଇଲେ ଧୀର ନମ୍ରବାଣୀ ।

 

“ହେ ଦେବ, ମୁଁ ବୁଝିବି କିପରି

 

ତମର ସେ ମହତ୍ତ୍ୱର କଥା ?

 

ତରଙ୍ଗିଣୀ ପାରଇ କି ବୁଝି

 

ଅମ୍ବୁଧିର କିବା ଗଭୀରତା ?

ସ୍ମିତାଧରେ କପିଳେନ୍ଦ୍ର ଦେବ

ଉତ୍ତରିଲେ, “ଅୟି ପ୍ରିୟତମା,

ତୁମ ଇଚ୍ଛା ନ ପାରିଲି ରଖି

ସେଥିପାଇଁ ଦେବ ମୋତେ କ୍ଷମା ।”

 

ସୁନାର ସେ କଳ୍ପନା ତୁମ୍ଭର

 

ରଖି ନ ପାରିଲି ଆଗୋ ସଖି,

 

ତଟିନୀର ମଧୁରତା ହାୟ

 

ପାରାବାର ପାରେ ନାହିଁ ରଖି ।”

Image

 

ମରିନାହିଁ ସେ ତ ମରଣ-ଜୟୀ

 

କାଳ ମହରଗ ପଡ଼ିଥିଲା ଭାରି ଭୟଙ୍କର

ନ’ଅଙ୍କର ।

ସୁନାର ଆମର ଉତ୍କଳ ତା’ର କାଳିମା ଛୁଇଁ

ହାଡ଼ମାଳ ଘେନି ଦିଶୁଥିଲା ସତେ ମଶାଣିଭୂଇଁ ।

ଲକ୍ଷ୍ମୀର ଦେଶ ହୋଇ ଯାଇଥିଲା ଆହା କି ଜୂର ।

ହା ଅନ୍ନ ଡାକେ ପୂରି ଉଠୁଥିଲା ପଲ୍ଲୀପୁର ।

ଦୁଇ ତିନି ଦିନେ ନ ପାଇ ଢୋକ

ଝଡ଼ିପୋକ ପରି ଝଡ଼ି ପଡ଼ୁଥିଲେ ବହୁତ ଲୋକ

କଳନା ନାହିଁ;

ହାଇ ରେ ହାଇ ।

କଟକ ଜିଲାର ଅଜଣା ସେ କେଉଁ ପଲ୍ଲୀ କଣେ

କେବଳ ଜଣେ,

ବାର ବରଷର କେବଳ ଭିକାରୀ ବାଳକଟିଏ

ମରଣର ଦାଉ ଜୟ କରିଥିଲା ମରତଦିହେ ।

ତା’ ଗୀତ ଆଜି

ଆକାଶେ ବତାସେ ପ୍ରତି ନିଶ୍ୱାସେ ଉଠୁଚି ବାଜି ।

ସନାତନ ତେବେ ଭା’ରି ଦୁଃଖେ

ଦୂରଗ୍ରାମେ ଯାଇ ଭିକ ମାଗୁଥିଲା କାତର ବୁକେ ।

ସବିଏ ଆତୁର ବଞ୍ଚାଇବାକୁ ଜୀବନଟିକ

ଏତେବେଳେ ଭଲା କିଏ ସେ କାହାକୁ ଦେଉଚି ଭିକ ।

ଦୁଇ ଦିନ ଯାଇ ତିନି ଦିନ ହେଲା ତଥାପି କାହିଁ

କପାଳେ ତାହାର ଖୁଦ ମୁଠିଏ ବି ଜୁଟିଲା ନାହିଁ ।

ଚରକି ପରାଏ ଘୂରି ଘୂରି ସିଏ ହୋଇଲା ଅଥା

ଘିଁ ଘିଁ ତା’ର ଘୂରିଲା ମଥା ।

ସାତ ଆଠ ଘର ଘୂରିବାର ପରେ ଫିଟିଲା ମୁଦ

ସାନ୍ତରା ଘରୁ ପାଇଲା ଯେବେ ସେ ଦିଓଟି ଖୁଦ ।

କପାଳେ ଲଗାଇ କହିଲା, “ପ୍ରଭୁ,

କିସ ଜଣାଇବି ? ବାଳୁତର ଦୁଃଖ ଜାଣ ତ ସବୁ ।”

ଠିଆ ହେଲା ଯହୁଁ ଆର ଦୁଆରେ,

ପଧାନ ବୁଢ଼ାଟି କଅଁଳେଇ ତାକୁ କହିଲା, “ବାରେ

ଦେଇଥିଲେ ପ୍ରଭୁ ଧନ ସମ୍ପଦ ମହା ସୁଖରେ

ଦିନ ଯାଉଥିଲା–ପୁଅ ଝିଅ ଶିରୀ କଉତୁକରେ ।

ଏଇକ୍ଷଣି ଆମେ କାଂଗାଳ ଜାଣ ତୋହରି ପରି

କିସ ମୁଁ ଦେବି ରେ ଦୁଇଦିନ ହେଲା ଜଳିନି ଚୁଲି ।

ସେଇ ଯେ ଦିଶୁଛି ଧୋବଲା କୋଠା

ସେଇଠିକି ଗଲେ ମିଳିପାରେ ଆରେ ମୁଠେ ଦିମୁଠା ।”

ଡାକିଲା ଯାଇ ସେ ଜମିଦାର ଘର ଫାଟକ ଆଗେ

ଦଣ୍ଡକ ପରେ ଦାସୀଟାଏ ଭା’ରି ପଡ଼ିଲା ରାଗେ ।

“ଭିକ ତ ମାଗିବୁ କିଆଁରେ ଏଡ଼ିକି ପାଟିଟେ କୁର ?

ସା’ନ୍ତେ ଉଠିଲେ ଛାଡ଼ିଯିବ ତୋର ପିଠିର ଗଲୁ ।

ଏଇଠି ପଡ଼ିଚି ଏଇଠି ତମର ହୋଇଚି ଠିକ

ଦିନ ରାତି ଖାଲି କେଳେଇ ଖାଉଚ ଭିକ-ଭିକ ।”

ଆହୁରି ତାପ,

“ଅରଜି ଆଣି କି ଥୋଇ ଦେଇଁଅଛି ତମର ବାପ”

ଭିକାରୀର ବୁକେ ବିଦ୍ରୋହ-ନିଆଁ ଉଠିଲା ଜଳି

ପୁଣି କି ଆବେଶେ ନୟନ ନିମିଷେ ଗଲା ତ ମରି ।

ସନାତନ ତହୁଁ ଉତ୍ତର ଦେଲା ଭାରି ନରମ,

“ଦାତା ଅରଜିଚି ଦେଲେ ତା’ର ହେବ ଭାରି ଧରମ ।”

“ଧଅ ଧଅ ବେଗେ ପଡ଼ିଚି ମୋହର କାମ ବହୁତ

ପୋଲାଖିଆ ସାଥେ କେ କହି ପାରିବ ?”

କହୁ କହୁ ତ

ଚାଉଳ ମୁଠିକ ଚଞ୍ଚଳେ ଅତି ଚଞ୍ଚଳେ

ଛିଞ୍ଚାଡ଼ି ଦେଲା ମୁକୁଳା ତାହାର ଅଞ୍ଚଳେ ।

ଗୁଡ଼ିଆ ଦୋକାନ ଦେଖିଲା ଯାଉଁ ସେ ଅଳପ ଦୂରେ

“ମୁଢ଼ି ମୁଠେ ମିଳୁ” ଜଣାଇଲା ବଡ଼ କାତର ସ୍ୱରେ ।

ଦୋକାନୀ କହିଲା, “ମୁଁ ବେବସାୟୀ

ବିକାକିଣା ଯାଗା ଏଠି ଯେ ଖୋଜୁଛୁ ମାଗଣା କାହିଁ ।”

“ତିନି ଦିନ ହେଲା ମରୁଚି ହଇ ହେ ଗୁଡ଼ିଆ ସାଉ

ମୁଠେ ଦିଅ, କିସ ଭାବୁଚ ଆଉ ?”

“ଯା, ଯା ଏଠୁ ଦେଇ ଦେଇ ଆମେ ମଲୁଣୁ ଭଲା

ତୁଉ ମରିଗଲେ ସଂସାରେ କାର କଅଣ ଗଲା ?”

ଫଅଁ କରି ଗୋଟେ ନିଶ୍ୱାସ ମାରି ହତାଶ ବୁକେ

ଦାଣ୍ଡେ ଦାଣ୍ଡେ ଚାଲିଲା ବାଳକ ଭାରି ଦୁଖେ ।

କୁଆଡ଼େ କାହିଁ ।

ଦୃଷ୍ଟି ଫେରାଇ ଚାହିଁଲା ନାହିଁ ।

ଗାଆଁ ମୁଣ୍ଡରେ ଚାଳ ଘରଟିଏ–ମୁହଁରେ ତା’ର

ବଉଳ ଗଛଟି ମେଲିଚି ପତର ଗହଳ ଡାଳ ।

ବସିଗଲା ସେଇ ପିଣ୍ଡାପରେ

ଆକାଶ ପାତାଳ ଭାଳିଲା ବହୁତ ମରମ ତଳେ ।

ଘଡ଼ିକେ ସେ ଘରୁ ବାହାରିଲା ଜଣେ ପ୍ରୌଢ଼ା ନାରୀ

ଥକା ହୋଇ ତହିଁ ଛିଡ଼ା ହୋଇଗଲା କଅଣ ଭାଳି ।

ବୁଲାଇ ସେନେହ–ସଜଳ ଆଖି

ସନାତନ ଦେହେ ଅମୀୟ ପରଶ ଦେଲା କି ମାଖି ।

ସ୍ନେହ-କାଂଗାଳ ବାଳକର ହିୟା ବୁଝିଲା ତାହା

ସତେ କି କୁଆଡ଼େ ଦୂର ହୋଇଗଲା ପ୍ରାଣର ଦାହା ।

ତରୁ-ଛାଇ-ହୀନ ମରୁର ପଥେ

ସ୍ଫଟିକ ଜଳର ଝରଣା ଗୋଟିଏ ଦେଖିଲା ସତେ ।

ବହୁତ ଭରସା କରି ସେ କହିଲା ବିନୟ ବାଣୀ

“ପିଇବାକୁ ମତେ ଦେବ କି ମାଉସୀ, ଟୋପିଏ ପାଣି ?”

ଦେବ ଯଦି ଦିଅ, ବେଇଗି ଦିଅ;

ତିନି ଦିନ ହେଲା ତୋରାଣି ଦେଖିନି, ଜଳୁଚି ଦିହ ।

ତର ତର ହୋଇ ଘରେ ଯାଇ ତହୁଁ କରୁଣାମୟୀ

କଂସାଏ ଭାତ ଆଣି ସେଇଲାଗେ ଥୋଇଲା ତହିଁ

“ପିଇ ଦେ, ଆରେ ଲାଗିବ ଭଲ,

ହାଲିଆ ଦେହରେ ଆସିବ ତୋହର ଟିକିଏ ବଳ ।”

ସନାତନ ତହୁଁ ପିଇଲା ଉପର ତୋରାଣିତକ

ମାଇଲା ଧକ ।

ଯେଉଁ ଭାତତକ ରହିଥିଲା ତହୁଁ ନ ଖାଇ କଳେ

କରୁଣାମୟୀକି ଚାହିଁଲା.ବିକଳେ ଅତି ବିକଳେ ।

“ତିନି ଦିନ ହେଲା ଆରେ ବାପ କିଛି ଖାଇନୁ ପରା

ଖାଇ ଦଉ ନାହୁଁ, ମନରେ କଅଣ ଭାବୁଚୁ ଭଲା ?

ମନରେ କଅଣ ଭାବୁଚୁ ଆଉ

ଲୁଚାଉଚୁ କିଆଁ ଖୋଲି କରି କହ ଗୋଳିଆ ଯାଉ ।”

“ନାହିଁ ଗୋ ମାଉସୀ, କିଆଁ ଲୁଚାଇବି ତୋ’ ଆଗରେ ?

ଆସିଲା ବେଳେ ତ ଖାଇବାକୁ କିଛି ନ ଥିଲା ଘରେ ।

ଜର ଭୋଗୁଥିଲା ବୋଉ ମୋର କିଛି ନ ଥିବ ଖାଇ

ଆଉଟି ପାଉଟି ହେଉଥିବ ଖାଲି ମୋ ସାନ ଭାଇ;

କହିଲ, କେମିତି ଦେବି ମୁଁ ଗିଳି ?

ଘରେ ନେଇଗଲେ ଖାଇବୁଁ ଏତକ ସବିଏ ମିଳି ।”

ଆକାଶ ପାତାଳ ଭାବିଲା ସେ ତହୁଁ ମରମଗତେ

କଅଣ ସତେ !

“ପିଲା ବକଟେ ତୁ ବଡ଼ ଗୁଣ ଅଛୁ ରେ ଧରି ।

ମୋହରି ଥିଲା ଯେ ରଙ୍କୁଣୀ ଥାଳ

ଗୁଣରେ ସେ ଥିଲା ତୋହରି ପରି ।”

କହୁଁ କହୁଁ ତା’ର କଂପି ଉଠିଲା ମୁଖର କଥା

ଲୁହ ଜମି ଉଠି ଛଳ ଛଳ ହେଲା ଆଖିର ପତା ।

“ଆଉ କିଆଁ ତେବେ କରୁଚ ମଠ ?

ବୋଉ ଭାଇ ତୋର ଚାହିଁ ରହିଥିବେ ଯା’ ତୁ ଝଟ ।”

ଭାତ ପୁଟୁଳାଟି ବାନ୍ଧିଲା ଅତି ଯତନ କରି

ମନରେ ଆତୁର ଆବେଗ ଧରି,

ଯାଉଚି କହି ସେ ଚଞ୍ଚଳ ହୋଇ ହେଲା ବାହାର

ଘରମୁହାଁ ବାଟ ଭାରି ଉଚ୍ଚାଟ ମନ ତାହାର ।

ଉପାସିଆ ଦେହ-ମୁଣ୍ଡ ତ ଝାଇଁ ମାରି ନେଉଚି

ପାଦ ଟଳ ଟଳ ତଥାପି ସଜୋରେ ପଥ ବାହୁଚି ।

ଉପରୁ ମାରୁଚି ନିରାଟ ଖରା,

ଦିହେ ଦିହେ ତାର ଗଳି ଯାଉଅଛି ଅନଳ ପରା ।

କିଛି ବାଟ ଗଲା ନାମ ଜଣାନାହିଁ ନଈର କୂଳେ

ବସିଲା କଷ୍ଟେ ପୁରୁଣା ସେ ବରଗଛର ମୂଳେ ।

ଟୁପ୍‌ ଟୁପ୍‌ ଟୁପ୍‌ ପଡ଼ିଲା କେତୋଟି ନାଲିଆ ଫଳ

ପେଟ ବିକଳରେ ଭରିଲା କଳ ।

ଭୋକ ତ ମଲାନି ଓଲଟି ବଢ଼ିଲା, ହେଲାନି ସହି

ଫିଟାଇଲା ତାର ଭାତ ପୁଟୁଳାଟି ଆବେଗ ବହି ।

ପୁଣି ସେ କି ଭାବି ପୂରୁବ ପରି

ବାନ୍ଧିଲା ସେଇ ଭାତ ପୁଟୁଳାଟି ଯତନ କରି ।

ଆହୁରି ବହୁତ ରାସ୍ତା ରହିଚି ଅଢ଼େଇ କୋଶ

କେମିତି ଭଲା ସେ ମାରିବ ଭୋକରେ ମାରିବ ଶୋଷ ?

ନଈ ଧାରେ ଯାଇ ଆକୁଳେ ପିଇଲା ଗିରାସେ ପାଣି

ଛାଇକି ନେଉଟି ଆସିଲା ଭଉତ କଷ୍ଟ ମାନି ।

ଭାତ ପୁଟୁଳାଟିଜଡ଼ାଇ ବୁକେ,

ଭୂଇଁ-ଶେଯତଳେ ଶୋଇପଡ଼ିଲା ସେ ବିରାମ ସୁଖେ ।

କଅଁଳି ପବନେ ଚାହୁଁ ଚାହୁଁ ଆହା ନୟନେ ତା’ର

କାହୁଁ କାହୁଁ ନିଦ ଭରିଗଲା ସତେ ଅନ୍ଧକାର ।

ବେଳ ଖସିଗଲା-ଖରା ମଉଳିଲା–ଆଉ ତ କାହିଁ

ସନାତନ ତହୁଁ ଉଠିଲା ନାହିଁ ।

ବିଞ୍ଚାଡ଼ି ଦେଇ ଚାଉଳଟିମାନ ଭାତଟିମାନ

କାଆ କାଆ ରାବି କୁଆ ଉଠାଇଲେ ଭୋଜିର ତାନ ।

ଯାଉଁ ଯାଉଁ କେହି କହିଲା ସିଆଡ଼େ ଲକ୍ଷ୍ୟ କରି

“କିଏ ସେ ଗୋଟିଏ ଯାଇଚି ମରି ।”

ଆକାଶ ବତାସ କାନେ କାନେ ତା’ର ଉଠିଲା କହି–

“ମରି ନାହିଁ ସେ ତ ମରଣ-ଜୟୀ ।”

Image

 

ଅନ୍ଧର ଚକ୍ଷୁଲାଭ

 

ଶିଷ୍ୟବର୍ଗ ସଙ୍ଗେ ଘେନି ଯାଉଁ ଯାଉଁ ସାଧୁ ମହିମା ଗୋସାଇଁ

ଉପପଥ କୂପ ଗର୍ଭୁ ଉତ୍ତୋଳିଲେ ଦିନେ ଏକ ଅନ୍ଧଜନେ ।

ସନ୍ତୋଷ ତେଣିକି ଥାଉ କହି ଉଠେ ସରୋଷ ବଚନେ

“କିଏ ତୁମ୍ଭେ ଅବିବେକ, ଉଦ୍ଧରିଲ ମତେ କହ କାହିଁପାଇଁ ?

ଅନ୍ଧ ମୁହଁ ଦିବାନିଶି ଝୁରି ମରୁଥିଲି ଦୁଃଖ କ୍ଳେଶ ପାଇ

ମରି ତରି ଯାଇଥାନ୍ତି ଜୀବନ ଜଞ୍ଜାଳୁ । କହିଲେ କି ହେବ ?

ଜୀବନ ରଖିଲ ଏବେ, ଚକ୍ଷୁ କିବା ମତେ ଦେବ ତୁମେ ଦେବ ?”

“ଆଚ୍ଛା ବାବା, ଚକ୍ଷୁ ତୁମେ ପାଇବ ଅଚିରେ” କହିଲେ ଗୋସାଇଁ ।

ଚାଲିଲେ ବାବାଜୀ ସାଥେ ଅନ୍ଧ ଭୀମ ଭୋଇ ଲଙ୍ଘି ପଲ୍ଲୀପୁର

ଅକୂଳ ଅସୀମ ପଥେ ଅଲେଖ ଭଜନ କରି ଦିବା ରାତେ

ପ୍ରବ୍ରର୍ଯ୍ୟାର ଦୀକ୍ଷା ଧରି ଯାପିଲେ ଜୀବନ । ଦିନକର ପ୍ରାତେ

ଗୁରୁରେ କହିଲେ ଅନ୍ଧ, “ଦିଶିଲା ଦିଶିଲା, ଅନ୍ଧତା ମୋ ଦୂର ।

ଅନ୍ତରେ ଦେଖଇ ମୁହିଁ ସୃଷ୍ଟିର ସୌଷ୍ଟବ ବିରାଟ ବିପୁଳ

ବିଶ୍ୱର ଯେତେ ଯା ଦୃଶ୍ୟ । ଏତେଦିନେ ଚକ୍ଷୁ ଦେଲ ମହାମତି ।”

“ଚକ୍ଷୁ ଦେଇନାହିଁ ମୁଁ ତ” କହିଲେ ଗୋସାଇଁ; “ନାହିଁ ସେ ଶକତି,

ଚକ୍ଷୁ ପାଇଅଛ ତୁମେ ଅଲେଖ ପ୍ରଭୁର ଅଲୋକ ଅତୁଳ ।”

Image

 

ଭାଇ

 

ଆଜିର ଏଇ ଯେ ସମ୍ବଲପୁର

ଦୂର ଅତୀତର ବୁକେ

ପାଟଣାର ଏକ ଅଞ୍ଚଳ ଥିଲା

କଥା ଅଛି ଲୋକମୁଖେ ।

ପାଟଣାର ରାଜା ଅନୁଜର ଦେଖି

ଅନୁପମ ଅବଦାନ

ଅନାବିଳ ମନେ ତୋଳି ଦେଇଥିଲେ

ସ୍ନେହର ବିପୁଳ ଦାନ ।

ବାହାରେ ସେ ଦିନ ଘେରି ରହିଥିଲା

କୃଷ୍ଣ ତିମିର-ନିଶି

ବର୍ଷଣାତୁର ଘନ ସମ୍ଭାରେ

ଭରି ଉଠୁଥିଲା ଦିଶି ।

ରାଜ-ଅବରୋଧେ ନୃସିଂହ ଦେବ

ପାଟନାର ଅଧିପତି

ପୁରତେ ଡକାଇ କହିଲେ ବଚନ

ବିକଳ ବିଧୁର ଅତି ।

“ପ୍ରଭାତରୁ ଆଜି ପ୍ରସବ ବ୍ୟଥାରେ

ଅତିହିଁ କାତର ରାଣୀ

କି କରିବା ମୁଁ ତ ଭାବି ପାରୁନାହିଁ,

କି କରିବା ରାମ ଦାନୀ ?

ବହୁତ ଧାତ୍ରୀ ଲାଗିଲେ କି ହେବ ?

ହେଉ ନାହିଁ କିଛି ଫଳ,

ବେଳୁ ବେଳ ଖାଲି ଗର୍ଭବେଦନା

ହେଉଅଛି ପରବଳ ।”

ରାମ ଦାନୀ ତହୁ ବିନୟ ବଚନେ

ନିବେଦିଲେ, “ମହାରାଜ,

ଚିତ୍ତେ ମୋହର ଚିନ୍ତି ପାରୁ ନି

କି ହୋଇ ପାରିବ ଆଜ ।

ନଦୀ ଆର ପାରି ଗ୍ରାମେ ରହିଅଛି

ନିପୁଣିକା ଏକ ଧାତ୍ରୀ

ଛୁଇଁ ଦେଲେ ସେ ତ ଯନ୍ତ୍ରଣା ଯିବ

ବିକଶିବ ଶୁଭ ଶାନ୍ତି ।”

ମାତ୍ର ଏ ଲାଗେ ବରଷା ଲାଗିଚି

ଝିପି ଝିପି ଝର ଝର

ବନ୍ୟାର ବେଗେ ଉଦ୍ଦେଳ ହୋଇ

ବଢ଼ୁଅଛି ନଦୀଜଳ ।

ଅନ୍ଧାରେ ପୁଣି ଆହେ ମହାରାଜ

ପନ୍ଥା ତ ଦିଶୁ ନାହିଁ

କେଉଁପରି ଅବା ଧାତ୍ରୀ ଆସିବ

ରାତ୍ରି ପାହିଲେ ଯାଇ....’’

“କି ଘଟିବ ଏଇ ରାତ୍ରି ଭିତରେ

କି ଘଟିବ କିଏ ଜ।ଣେ ?”

ନୃପତି ଭାଷିଲେ ଆହୁରି କାତରେ

ଆହୁରି ବିଧୁର ପ୍ରାଣେ ।

ସମବ୍ୟଥା ଦେଇ ଜଣାଇଲେ ଦାନୀ

“ଆଉ କିଛି ନାହିଁ ରାହା

ଏ ବିପଦେ ମାଆ ପାଟନେଶ୍ୱରୀ

ନିଶ୍ଚୟ ହେବେ ସାହା ।”

ସବୁ କଥା ଶୁଣି କେଶବ ମଳିକ

ଜଣାଇଲା, “ମହାପ୍ରଭୁ,

ନିର୍ବୋଧ ମୁହିଁ ସଂକଟ ତବ

ବୁଝି ପାରୁଅଛି ସବୁ ।

ସକଳ ବିପଦେ ପ୍ରସ୍ତୁତ ଅଛି

ପ୍ରିୟ ପରିବାର ଛାଡ଼ି

ମଣିମା ଚାହିଁଲେ ଘଡ଼ିକ ଭିତରେ

ଏ ଜୀବନ ଦେବି ଢାଳି ।

ମାୟାବତୀ ନଦୀ ବକ୍ଷ ମୋହର

ଜୀବନର ଖେଳଘର

ଭାବୁ ନାହିଁ ମୁହିଁ ଘନ ଘୋର ନିଶି

ବନ୍ୟା-ବ୍ୟାକୁଳ ଜଳ ।

ଭୟ ନାହିଁ ମୋର ଲଙ୍ଘି ଯିବି ମୁଁ

ଭୟ ନାହିଁ ମୋର ମନେ

ମାତ୍ର କିପରି ଦୁର୍ଗମ ଜଳେ

ଆଣିବି ମୁଁ ଆଉ ଜଣେ ?”

ଗମ୍ଭୀରେ ତହୁଁ ଉଠିଗଲେ ରାଜା

ମର୍ମ-ବେଦନା ଘୋର

“ଏ ବିପଦେ ମାଆ ପାଟନେଶ୍ୱରୀ

ତୁ ଏକା ଭରସା ମୋର ।”

ତରୁଣ ଯୁବକ ବଳରାମ ଦେବ

ପାଟନାର ପଟାୟତ

ଦୂରେ ଦୂରେ ରହି ନୀରବ ମଉନେ

ଦେଖିଥିଲେ ଏ ଯାବତ ।

ଅନ୍ଧ ତାମସେ ଚଞ୍ଚଳ ଯାଇ

ମାୟାବତୀ ନଦୀତୀରେ

ବିପୁଳ ସାହସେ ଶରୀର ମେଲିଲେ

ବନ୍ୟା ବ୍ୟାକୁଳ ନୀରେ ।

ସ୍ୱର୍ଗ ଆଶିଷ ସଦୃଶ ତେବେ

ଚଳ ବିଦ୍ୟୁତ-ଲେଖା

ଘନ ଘନ ସ୍ଫୁରି ଦୁର୍ଗମ ଜଳେ

ଦେଖାଇଲା ପଥ-ରେଖା ।

ନଦୀ ଆର ପାର ଗ୍ରାମେ ଯାଇ ବୀର

ଧାତ୍ରୀରେ ଖୋଜି ବେଗେ

ଦୁଃସହ ସେଇ ଦୁର୍ଗତି ଗାଥା

ଜଣାଇଲେ ଉଦ୍‌ବେଗେ ।

ଧାତ୍ରୀ ବୋଇଲା, “ବନ୍ୟାଜଳରେ

ଯିବି ମୁହିଁ କେଉଁପରି ?”

ବୀର ପଟାୟତ କହିଲେ, “ମୁଁ ଜାଣେ

ତୁମେ ଯିବ ଯେଉଁ ଭଳି ।”

ଧାତ୍ରୀରେ ତହୁ ପୃଷ୍ଠେ ବସାଇ

ପ୍ଳାବିତ ନଦୀର ଜଳେ

ସନ୍ତରି ମହା– ଧୈର୍ଯ୍ୟ ସାହସେ

ଲଙ୍ଘିଗଲେ ସେ ଖରେ ।

ରଜନୀର ସେଇ ତୃତୀୟ ପ୍ରହରେ

ନୂତନା ଧାତ୍ରୀ ତୁଲେ,

ପ୍ରିୟ ପରିଜନେ ବିସ୍ମିତ କରି

ମିଳିଲେ ଅନ୍ତଃପୁରେ ।

ଧାତ୍ରୀର ଚାରୁ ଚଟୁଳ ସେବନେ

ସ୍ୱସ୍ତି ଲଭିଲେ ରାଣୀ

ଦୁର୍ବିସହ ସେ ଗର୍ଭର ଶୂଳ

ଆଉ ନ ପାରିଲେ ଜାଣି ।

ରଜନୀର ସେଇ ଅନ୍ତିମ ଯାମେ

ନବୀନ ସୂର୍ଯ୍ୟ ସମ,

ପ୍ରସବିଲେ ନବ ନନ୍ଦନ ଏକ

ସୁନ୍ଦର ମନୋରମ ।

ରାଜ-ଅବରୋଧେ ଉଛୁଳି ପଡ଼ିଲା

ଉଲ୍ଲାସ କଳରବ

ଅନ୍ତରେ ରାଜା ଅନୁଭବ କଲେ

ସ୍ୱର୍ଗୀୟ ବଇଭବ ।

ବାହୁରେ ଭାଇକି ବନ୍ଧନ କରି

କହିଲେ, “ଭାଇ ତୁ ଧନ୍ୟ,

ସଂସାରେ କିଏ ଏ କଥା କରିବ

ଭାଇ ବିନା ଆଉ ଅନ୍ୟ ।

ଅଜ୍ଞାତେ ମୋର ଭାଗ କରି ନେଲୁ

ଏ ମୋର ଆପଦଭାର

ଏକା ମୁଁ କିପରି ଭୁଞ୍ଜିବି ମୋର

ସମ୍ପଦ ଅଧିକାର ।

ମରମ ତଳର ବାଞ୍ଛା ଏ ମୋର

ଏହାହିଁ ମୋହର ଧାର୍ଯ୍ୟ

ଭାଗ କରି ଆମେ ଭୁଞ୍ଜିବା ଜାଣି

ଏ ମୋର ପାଟନା ରାଜ୍ୟ ।”

“ଆଜ୍ଞାବହ ମୁଁ” ଅନୁଜ କହଇ

“ରାଜ୍ୟ ମୋର କି ହେବ ?

ପାଶେ ପାଶେ ରଖି ସେବାରେ ସୁଯୋଗ

ଦିଅ ମୋତେ ଦିଅ ଦେବ ।

“ଆଜ୍ଞାବହ ତୁ” ନୃପତି ଭାଷିଲେ

“ଆଜ୍ଞା ଏ ମୋର ଆଜ,

ଅଙ୍ଗ ନଦୀର ସେପାର ରାଜ୍ୟେ

ହୁଅ ନବ ଅଧିରାଜ ।”

Image

 

ଦୀନକୃଷ୍ଣ ଦାସ

 

‘ରସକଲ୍ଲୋଳ’ର କବି ଦୀନକୃଷ୍ଣ ଦାସ

ଏକଦା ମିଳିଲେ ଯାଇ ଅନ୍ତରେ ଉଲ୍ଲାସ ।

କବୀନ୍ଦ୍ର ଉପେନ୍ଦ୍ର ପାଶେ । କାବ୍ୟ ଉପହାର

ଦେଇ ମନେ ମନେ ପ୍ରୀତି ଲଭିଲେ ଅପାର ।

ଭଞ୍ଜ କବିବର ତହୁଁ ପ୍ରଗଲ୍‌ଭ ରଭସେ

କାବ୍ୟ ପାଠ ଶେଷ କରି କହିଲେ ହରଷେ ।

“ପ୍ରୀତ ମୁହିଁ ପାଇ ତବ ପ୍ରିୟ ଅବଦାନ

ଆହେ କବି କିବା ଦେବି ତା’ର ପ୍ରତିଦାନ ?”

ସୁନ୍ଦର କବିତା ତବ ମନ-ମୋହକରୀ

ମଧୁର ବିଧୁର ମୃଦୁ କାନ୍ତ ପଦାବଳୀ ।

କିନ୍ତୁ ତହିଁ ରହିଚି ଯେ କ୍ଷୀଣ ବ୍ୟତିକ୍ରମ

ଭାବୁଅଛି ପୂର୍ଣ୍ଣଚନ୍ଦ୍ରେ କଳଙ୍କର ସମ ।

ଯେଉଁ ବର୍ଣ୍ଣ ଆଦ୍ୟେ ରଖି ଆହେ ପ୍ରିୟବର

ରଚିଅଛି କାବ୍ୟ ତବ ମନୋଜ୍ଞ ସୁନ୍ଦର ।

ସେଇ ବର୍ଣ୍ଣ ଆଦ୍ୟେ ରଖି ଗ୍ରନ୍ଥଟିର ନାମ

ଦେଇଥିଲେ ହୋଇଥାନ୍ତା ଅତି ଅଭିରାମ ।”

ଭକ୍ତକବି ଚକ୍ଷୁ ମୁଖ ଉଠିଲା ଉଜ୍ଜ୍ୱଳି

ଦୀପ୍ତରାଗେ, ଲୋମେ ଲୋମେ ଉଠିଲା ସଞ୍ଚରି ।

ହର୍ଷଶିରା । କଣ୍ଠବୀଣା ସୁମଞ୍ଜୁଳତରେ

ଝଙ୍କାରି ଉଠିଲା ଧୀର କମନୀୟ ସ୍ୱରେ ।

“ସେଇପରି, ସେଇପରି ମୁହିଁ ଅବିକଳ

ଭାବିଥିଲି ମନେ ମନେ ଆହେ କବିବର ।

‘କେଳିକଲ୍ଲୋଳ’ ମୁଁ ତା’ର ଦେଇଥିଲି ନାମ

ତିଳେ ତୃପ୍ତ ହେଲା ନାହିଁ ତହିଁ ମୋର ପ୍ରାଣ ।

କିଏ ମୋର କାନେ କାନେ କହିଦେଲା, ‘ନାହିଁ-

ହେଲା ନାହିଁ’–ନାମ ତେଣୁ ଦେଲି ବଦଳାଇ ।

କେଳି ନୁହେ କାବ୍ୟେ ମୋର ରସ ଖାଲି ରସ

ଲଙ୍ଘି ନ ପାରିଲି ମୁହିଁ ରସର ସ୍ପରଶ ।”

ରସକଲ୍ଲୋଳର କବି କହିଲେ ଯେ ଜାଣୀ

ଭଞ୍ଜକବି ପ୍ରାଣେ ତାହା କେମନ୍ତେ କେଜାଣି

ଛୁଇଁ ଦେଲା, କବି ପୁଣି ମନ୍ତ୍ରମୁଗ୍‌ଧଚିତେ

ଆହୁରି ଆହୁରି ବାରେ ପଢ଼ିଲେ ସେ ଗ୍ରନ୍ଥ ।

ଅନ୍ତରେ ଅନ୍ତରେ କବି କଲେ ପ୍ରୀତି ଲାଭ

ସ୍ତରେ ସ୍ତରେ ପରଶିଲେ ରସର ପ୍ରଭାବ ।

ସଜଳ ନୟନେ ତହୁଁ ଗଦ ଗଦ ଭାଷେ

କହିଲେ ଉଚ୍ଛ୍ୱାସ-ଭରା ରସର ଉଲ୍ଲାସେ ।

“ସତ୍ୟ କବି, ସତ୍ୟ କବି ରସର କଲ୍ଲୋଳ

ଖେଳୁଅଛି ତବ ଗ୍ରନ୍ଥେ । ହୃଦୟ ବିଭୋଳ

ହେଉଅଛି ଆଚମ୍ବିତେ! ସେ ଯେ ବ୍ୟତିକ୍ରମ

ନୁହେଁ କିଛି; ଭାବୁଅଛି ତାହା କ୍ଷୀଣତମ ।”

ପୂର୍ଣ୍ଣ ଶଶୀ ଯେତେବେଳେ ଜ୍ୟୋତ୍ସ୍ନାର ଜୁଆର

ସୃଜିଦିଏ, କିଏ ତେବେ କଳଙ୍କ ତାହାର

ମନେ ରଖେ ? ବୁଝୁଅଛି ଏବେ ଏ ହୃଦୟ,

ମନେ କିଛି ନ ଘେନିବ ଆହେ ରସମୟ ।”

“ପ୍ରିୟବନ୍ଧୁ” ଉତ୍ତରିଲେ ଦୀନକୃଷ୍ଣ ଦାସ

“କରୁଚ କି, କରୁଚ କି ? ମୋତେ ପରିହାସ ?

ରସମୟ କୃଷ୍ଣ ମୋର କାବ୍ୟର ନାୟକ

ଦୀନ କୃଷ୍ଣଦାସ ମୁହିଁ କେବଳ ଗାୟକ ।”

Image

 

ବୀରରାଣୀ ଶୁକଦେଈ

 

ବାଙ୍କି-ନଅରେ ଯୁଦ୍ଧ-ବାରତା

ପଶିଲା ସତେ କି ବଜ୍ର-ବାଣ ।

“ଖୋରଧା ରାଜାର ଖର ଅସିଧାରେ

ବାଙ୍କି-ଭୂପତି ତେଜିଲେ ପ୍ରାଣ ।”

କଳରୋଳ ତୋଳି ଅନ୍ତଃପୁରିକା

କାନ୍ଦି ଉଠିଲେ କାତର ସ୍ୱରେ

ଉତଳା ହିୟାର ଅଧିର ଆବେଗ

ଉଛୁଳାଇ ଦେଲେ ଅଶ୍ରୁଜଳେ ।

ମାତ୍ର ତରୁଣୀ ରାଣୀ ଶୁକ ଦେଈ

ଦାରୁଣ ଶୋକର ବାରତା ଶୁଣି

ପାଷାଣ ପରାଏ ଦଣ୍ଡକ ଲାଗି

ହୋଇଗଲେ ତବଦ, ହୋଇଲେ ତୁନି ।

“ମୁକ୍ତି ତ ଆଜି ମିଳିବ ନାହିଁରେ

କାତର ଆଖିର ଅଶ୍ରୁଧାରେ

ଦଗ୍‌ଧ ହିୟାର ତୃପ୍ତି ମିଳିବ

ଅରାତି ଛାତିର ରକ୍ତ-ଗାରେ ।’’

ଯୁବରାଜ-ଶିର ଚୁମ୍ବନ କରି

କହିଲେ, “ରେ ବାପ, କାନ୍ଦ ନାହିଁ ।

ସଜ ହୁଅ ବେଗେ ଯୋଦ୍ଧାର ବେଶେ

ସଜ ହୁଅ ବେଗେ ଯୁଦ୍ଧ ପାଇଁ ।”

ଦଣ୍ଡକ ପରେ ବୃଦ୍ଧ ମନ୍ତ୍ରୀ

ସାକ୍ଷାତ ଦେଇ ରାଣୀର ପାଶେ

ନିବେଦିଲେ ନିଜ ଅନ୍ତର-କଥା

କାତରତା-ଭରା ସଜଳ ଭାଷେ ।

“ମଣିମା ଆଜି ଏ ଦାରୁଣ ବାରତା

ଶୁଣିବା ପାଇଁ କି ରହିଚି ପ୍ରାଣ

ବାଙ୍କିର ଆଜି ଗୌରବ-ରବି

ଚିରଦିନ ପାଇଁ ଅସ୍ତମାନ ।

ଶତ୍ରୁ ଦରପେ ମାଡ଼ି ଆସୁଅଛି

ରହିଅଛି ଆଜି ଅଳପ ଦୂରେ

ବାଙ୍କି ମୁଲକ ଗ୍ରାସି ପକାଇବୁ

ଆସି ହୋଇଲାଣି ଗୋପାଳପୁରେ ।

ଏତେବେଳେ ଆଉ ଅନ୍ୟ ଉପାୟ

ଅନ୍ୟ ପନ୍ଥା ଦିଶୁ ତ ନାହିଁ

ଭାବିଅଛି ମନେ ସନ୍ଧି କରିବା

ରାଇଜର ଏକ ଅଂଶ ଦେଇ ।

ନା’ ବାଳକ ଏଇ ଯୁବରାଜ ହେଲେ

ଭୁଞ୍ଜିବେ ଦିନେ ରହିବ ଯାହା

ଅନ୍ୟ ଉପାୟ ଦିଶୁନାହିଁ ମତେ

ଦିଶୁନାହିଁ ମତେ ଅନ୍ୟ ରାହା ।”

“କିସ କହୁଅଛ” ପଚାରିଲେ ରାଣୀ

“ବୃଦ୍ଧ ମନ୍ତ୍ରୀ । କହୁଚ କିସ ?

ଏ ଯେ ପ୍ରସ୍ତାବ ଆଣୁଅଛ ତୁମେ

ଲାଗୁଅଛି ମତେ ବିଷମ ବିଷ ।

କେସନେ ଆଜି ମୁଁ ଏଡ଼େ ଲାଞ୍ଛନା

ବରଣ କରିବି ଜୀବନ ପରେ

ମରଣର ଭୟେ ଶରଣ ପଶିବି

ପତି-ହନ୍ତାର ଚରଣ ତଳେ ।

ମନ୍ତ୍ରୀ ହେ ଏଇ ଅନୁରୋଧ ମୋର

ଏତେବେଳେ ଆଉ କରନା ଡେରି,

ସଜ୍ଜିତ କର ପାଇକ ବାହିନୀ

ଶତ୍ରୁ-ସମରେ ଯିବି ମୁଁ କାଲି ।”

ବୁଝାଇଲେ ପୁଣି ବୃଦ୍ଧ ମନ୍ତ୍ରୀ

“କିମ୍ପାଇ ମଣିମା ଏ ଅଧୀରତା ?

ସନ୍ଧି ନ କଲେ ରକ୍ଷା ଯେ ନାହିଁ

ଯୁଦ୍ଧ ନୁହଇ ସହଜ କଥା ।”

ଶ୍ରୀମୁଖ-ଆଦେଶ ହେଲେ ମୁଁ ଅଚିରେ

ଯତ୍ନ କରିବି ପରାଣ ଭରି

ବୃଦ୍ଧର ଏଇ ଶେଷ ମିନତିଟି

ଘେନାହେଉ ବାରେ କରୁଣାକରି ।”

ଅନ୍ତରେ ଯାର ଅଗ୍ନିର ଶିଖା

ଦପ୍‌ ଦପ୍‌ ଦପ୍‌ ଉଠଇ ଜଳି

ଧମନୀର ଲହୁ ଫୁଟି ଉଠୁଅଛି

ସତେ କି ଉଷ୍ଣ ଝରଣା ଭଳି ।

ଶୁଣୁ ଶୁଣୁ ସେଇ କାପୁରୁଷ ବାଣୀ

ଝଲକି ଉଠିଲା ଦୀପ୍ତ ଭାଲ

କରୁଣ ନୟନ– ପ୍ରାନ୍ତ ହୋଇଲା

ବହ୍ନିର ତେଜେ ରକ୍ତ ଲାଲ ।

“ମୁଞ୍ଚ ଏ ଭାବ ବୃଦ୍ଧ ମନ୍ତ୍ରୀ

ଏ ଭୀରୁ ଭାଷଣ କାତର ବାଣୀ

ତୁମ୍ଭେ କି ଜାଣିବ ଅନ୍ତର ମୋର

କି ଆଘାତେ ଏବେ ହେଉଚି ହାଣି ।

ରାଇଜଯାକର କେହି ନ ଶୁଣିଲେ

କେହି ନ ଲଢ଼ିଲେ ମୋହରି ପାଇଁ

ସାଥେ ଘେନି ମୋର ଏ ଦୟାନିଧିକି

ଯୁଦ୍ଧସାଗରେ ଝାସିବି ଯାଇଁ ।

ରାଜ-ଲକ୍ଷ୍ମୀର ଅପମାନ ବେଳେ

ଆଜି ମୁହିଁ ବୀର କ୍ଷତ୍ରବାଳା

ଶଙ୍କିତ ବୁକେ ଧର୍ମ ବିସୋରି

ସହି ପାରିବି କି “ଜୀବନଜାଳା ?”

ଅମିତ ପ୍ରତାପେ ଜଳି ଜଳି ରାଣୀ

ସୂର୍ଯ୍ୟକାନ୍ତ-ମଣିକା ସମ

ବହ୍ନି ଉଗାରି ପ୍ରଜ୍ଜାଳି ଦେଲେ

ବୃଦ୍ଧର ଧୀର ଶୀତଳ ମନ ।

“ରାଜା ଚାଲିଗଲେ, ଯୁଦ୍ଧ କରିବା

ସହଜ ନୁହେଁ ଏ ବିଷମ ବେଳେ

ତଥାପି ଯାଉଚି ।” ବୃଦ୍ଧ ମନ୍ତ୍ରୀ

ବିନୟେ ପ୍ରଣମି ବିଦାୟ ନେଲେ ।

ଗ୍ରାମେ ଗ୍ରାମେ ତହୁଁ ସମ୍ବାଦ ଗଲା

ଗୃହେ ଗୃହେ ଗଲା ଦାରୁଣ ବାଣୀ

“ରାଜା ସିନା ଗଲେ ରାଇଜର ଲାଗି,

ଯୁଦ୍ଧ କରିବେ ରାଇଜ-ରାଣୀ ।”

ବିକଟ କୁହାଟେ ପାଇକ ବାହିନୀ

ସଜାଗି ଉଠିଲେ ଉଚ୍ଚକିତେ

ଧନୁବାଣ ଧରି ତରୁଆଲ ଧରି

ବାହାରି ପଡ଼ିଲେ ଦୀପ୍ତ ଚିତେ ।

ବରଷା ଋତୁର ନିର୍ଝର ସମ

ଚାଲିଲେ ବହୁତ ବାଙ୍କିମୁଖେ,

ରାତିକ ଭିତରେ ବହୁତ ସଇନ

ଠୁଳ ହୋଇଗଲେ ବାଙ୍କି-ବୁକେ ।

ପୂର୍ବ ଗଗନେ ମୁକ୍ତ ନୋହୁଣୁ

ଅରୁଣା ଉଷାର-ପୁର-ଦୁଆର

ଫିଟିଲା ସହସା ଦୁର୍ଗ ତୋରଣ

ରାଣୀର ବାହିନୀ ହେଲେ ବାହାର ।

“ଜୟ ଚର୍ଚ୍ଚିକା” ନାଦେ କମ୍ପାଇ

ଧୂଳିର ବଉଦ ନଭେ ଉଠାଇ

ଦୂର ପଥ ବାହି ଦିନ ପହରକେ

ଶତ୍ରୁ ସଇନ ଭେଟିଲେ ଯାଇ ।

ସୈନିକ ବେଶ ବିଲୋକି ରାଣୀର

କଠୋରେ ହସିଲେ ଖୋରଧା-ଦଳ

ଲାଗିଲା ଯୁଦ୍ଧ ତୁମୂଳ କ୍ଷୁବ୍‌ଧ

ଜୀବନ ଢାଳିଲେ ବାଙ୍କି-ବଳ ।

ପ୍ରତିଶୋଧ ପାଇଁ ଖୋଜି ହେଲେ ରାଣୀ

“କାହିଁ ଆତତାୟୀ କାହିଁରେ କାହିଁ ?

ଏ ରାଜ ଧଣ୍ଡା ଏ ପାଟ ଖଣ୍ଡା

ଧନ୍ୟ ତେବେରେ ହୋଇବ ଯାଇଁ ।”

ସହସା ମିଳିଲେ ବଡ଼ମ୍ବା-ସେନା

ବାଙ୍କିର ହେଲା ଦର୍ପୋଦୟ

ଯେ ଆଶା ଭରସା କରିଥିଲେ ଆଗେ

ବାଙ୍କି-ଭୂପତି ଧନଞ୍ଜୟ ।

ବାଙ୍କି-ପାଇକ ଗରଜି ଉଠିଲେ

ଆହୁରି ଆହୁରି ଭୀଷଣ ତେଜେ

ଖୋରଧାର ବହୁ ପାଇକ ସଇନ

ଶୁଆଇଲେ ମହାନିଦ୍ରା-ଶେଯେ ।

ଖୋରଧା ନୃପତି ଦୁର୍ଗତି ଦେଖି

ଗରଜି ଉଠିଲେ ଦର୍ପ ଭରି

“ତାତି ଉଠ ଏବେ ଖୋରଧା ପାଇକ

ହଟକେଶ୍ୱର ଝରଣା ଭଳି ।

ନଇଁ ପଡ଼ିଥିଲେ ଖୋରଧା ସଇନ

ଜାଗି ନ ପାରିଲେ ଆଉ ତ କାହିଁ

ପୂର୍ବ ସାହସେ ପୂର୍ବ ରଭସେ

ଶତ୍ରୁ ସହିତ ଲଢ଼ିବା ପାଇଁ ।

ହତ ହେଲେ ଶେଷେ ବାଙ୍କିର ହାତେ

ବୀର ସେନାପତି ‘ଧନୁର୍ଦ୍ଧର

ବାଙ୍କିର ହାତେ ବନ୍ଦି ହୋଇଲେ

ଖୋରଧା ଭୂମିର ଅଧୀଶ୍ୱର ।

ଉଚ୍ଚ ଆରବେ ମନ୍ଦ୍ରି ଉଠିଲା

ବାଙ୍କି-ବଳର ବିଜୟ ଭେରୀ,

ଅରି ପକ୍ଷର ବକ୍ଷ ଉପରେ

ବାଙ୍କି -ପତାକା ଉଠିଲା ଖେଳି ।

ଦଣ୍ଡକ ପାଇଁ ଉଲ୍ଲାସ ଶିରୀ

ଜାଗିଲା ରାଣୀର ସଜଳ ମନେ

ସନ୍ଧ୍ୟାର ଶିରା ରଂଜି ଉଠଇ

ଆକାଶେ ଯେସନେ ସଜଳ ଘନେ ।

“ଅପମାନ ମୋତେ ଦିଅନାହିଁ ଆଉ”

ଖୋରଧା ନୃପତି କହିଲେ ବାଣୀ

“ବିଳମ୍ବ ଆଉ କରୁଚ କାହିଁକି

ପତିହନ୍ତାରେ ପକାଅ ହାଣି ।”

ଶତ୍ରୁର ବୀର ନିବେଦନ ଶୁଣି

ଦର୍ପେ ନାଚିଲା ସୈନ୍ୟ ବୁକୁ

ଅନାଇ ରହିଲେ କିବା ସେ ଆଦେଶ

ଫିଟିବ ଏ ଲାଗେ ରାଣୀର ମୁଖୁ ।

“ନାରୀ ମୁଁ କି ଆଜି ରକ୍ତ-ଲୋଲୁପା ?

କିଏ ସେ ଏପରି କରିଚି ମୋତେ ?

ଭସାଇଛି ମୋତେ ଅଶ୍ରୁ-ସଲିଳେ

ଭସାଇଚି ମୋତେ ରୁଧିର ସ୍ରୋତେ ।

ପତି ବିନା ମୁହିଁ କି ହେଉଚି ଆଜି

ଖୋରଧା ରାଣୀ ତ ଏପରି ହେବେ ।

ପ୍ରତିଶୋଧ ମୋର ପୁର୍ଣ୍ଣ ହେଲାଣି

ଆହେ ରାଜା ତୁମେ ମୁକ୍ତ ଏବେ ।”

ବାଙ୍କି ରାଣୀର ସମ୍ମୁଖଭାଗେ

ଖୋରଧାରାଜନ ସରମଭରେ

ବୁକୁର ବ୍ୟାକୁଳ ବେଦନା ବିପାକ

ପ୍ରକାଶିଲେ ଧୀର ନମ୍ର ସ୍ୱରେ ।

“ନିଦାରୁଣ ଏ ଯେ ଦଣ୍ଡ ଦେଉଚ

ଦେଉଚ ଆଜି ଏ ଅଭାଗା ପରେ

କ୍ଷତ୍ରିୟ ବୀର ହୋଇ ମୁଁ କିପରି

ମୁଖ ଦେଖାଇବି ଧରଣୀ ତଳେ ।

ନାରୀ ନୁହଁ ତୁମେ, ସାକ୍ଷାତ ଦେବୀ

ସାକ୍ଷାତ ତୁମେ କରୁଣା ସମା

ଯେଉଁ ଅପରାଧ କରିଅଛି ମୁହିଁ

କେସନେ ତାହାର ମାଗିବି କ୍ଷମା ?

ଉଦାରତା ବଳେ ଆଜି ମୋତେ ଜାଣି

ପରାଜୟ କଲ ଆପଣା ଆଗେ

ଚିରଦିନ ତୁମେ ଅଙ୍କା ରହିବ

ଖୋରଧା ରାଣୀର ଚିତ୍ତଭାଗେ ।

ତୁମର ବିଜୟ- ସଙ୍କେତ ରହୁ

ମୋର ପରାଜୟ ଚିହ୍ନ ରହୁ

ମୋର କୁଶପଲା ପ୍ରଗନା ଗୋଟିକ

ବାଙ୍କି ସହିତ ଯୁକ୍ତ ହେଉ ।”

ସନ୍ଧିର ଶେଷେ ପରାଜିତ ସେନା

ବିଷାଦେ ଫେରିଲେ ଖୋରଧା ମୁଖେ

ବାଙ୍କି ସଇନ ଫେରିଲେ ପୁଲକେ

ବିଜୟ-ଗରବ-ଦୃପ୍ତ ବୁକେ ।

ଚୁମ୍ବନ ଲେଖି ଦୟାନିଧି ଭାଲେ

ଆଖି-ଛଳେ ରାଣୀ ପଡ଼ିଲେ ଢଳି

ଶୋକର ଆବେଶେ ଧଇଲେ ଯେ ଶେଯ

ସେଇପରି ଆହା ରହିଲେ ପଡ଼ି ।

ସବୁରି ହୃଦୟେ ଶଙ୍କା ଜାଗିଲା

“ଏ କି କଥା ପୁଣି ଏତେକ ପରେ”

ଯୁବରାଜ ଖାଲି “ମାଆ’, ‘ମାଆ’ ବୋଲି

ଆକୁଳେ ଭାଷିଲେ ଅଶ୍ରୁଜଳେ ।

ତିନିଦିନ ପରେ ଆଖି ଲୁହ ପୋଛି

କିସ ଭାବି ପୁଣି ଉଠିଲେ ରାଣୀ

କପାଳେ ଫୁଟାଇ କୁଞ୍ଚିତ ରେଖା

ଭାଷିଲେ ନବୀନ ଅଭୟ ବାଣୀ ।

“ଲୋତକେ ଭାସି ମୁଁ ଝରିବି ନାହିଁରେ

ଅନଳେ ଝାସି ମୁଁ ମରିବି ନାହିଁ,

ପାଷାଣ ପରାଣେ ବଞ୍ଚି ରହିବି

ଆରେ ଦୟାନିଧି ତୋହରି ପାଇଁ ।”

Image

 

ବଢ଼େଇ ପିଲା

 

ଅକ ଦେଉଳର ଗଢ଼େଇ କାରିଗରୀ ବଢ଼ିଲା ଆଜି

ସିନ୍ଧୁ ସଇକତେ ଚନ୍ଦ୍ରଭାଗା ଭୂଇଁ ଉଠିଲା ସାଜି ।

ବାରଶ ବଢ଼େଇର ବୁଦ୍ଧି ବଳ ଯହିଁ ମଉଳିଥିଲା

ସାଧିଲା ତହିଁ ଆଜି ଧରମା ବୋଲି ଏକ ବଢ଼େଇ ପିଲା ।

ବାରଶ ବଢ଼େଇର ମରମ ତଳେ ତଳେ ସେଇଥି ଲାଗି

ଗୋଟିଏ କ୍ଷଣ ପାଇଁ ହରଷ ଉଲ୍ଲାସ ଉଠିଲା ଜାଗି

କ୍ଷଣକ ପରେ ପୁଣି ସବୁରି ବଦନରେ ଲାଗିଲା କାଳି

ସଭିଏ ଠୁଳ ହୋଇ ସରମ ଅପମାନେ ହୋଇଲେ ଭାଳି ।

ବିଶେଇ ମହାରଣା ଆଗରେ ପଚାରିଲେ ବାତୁଳ ପ୍ରାୟ ।

‘ବାରଶ ବଢ଼େଇରେ ଦାୟ, କି ପୁଅରେ ଦାୟ ?’

“ବାରଶ ବଢ଼େଇ ତ ମୋହରି ଜାତିଭାଇ ମୋହରି କୁଳ

ବାରଶ ନିହାଣରେ ଗଢ଼ିଲେ ଏ ଦେଉଳ ପାଷାଣ-ଫୁଲ ।

ବାରଶ ବଢ଼େଇର ଗର୍ବ ଗଉରବେ ମୋହର ସୁଖ

ବାରଶ ବଢ଼େଇର ଗର୍ବ ଗଉରବେ ଫୁଲେ ମୋ ବୁକ ।

ମୋହରି ଜାତିକୁଳ ଉଜ୍ଜ୍ୱଳ କରି ଆଜି ମୋହରି ପୁଅ

ଭେଦିଚି ବୀର ଅଭିମନ୍ୟୁ ପରି ଆଜି ବିଷମ ବ୍ୟୁହ ।

ଜଗତ ତଳେ ଆଜି କରିଚି ଅଦ୍ଭୁତ ଅଲୋକ କାମ

ଜଗତ ତଳେ ଆଜି ଆଙ୍କି ଦେଇଅଛି ଅମର ନାମ ।

ଅଧିକ ନୁହେ କେହି ନିଉନ ନୁହେ କେହି ତୁଲ୍ୟ ପ୍ରାୟ

ବାରଶ ବଢ଼େଇରେ ଦାୟ, ମୋ ପୁଅରେ ଦାୟ ।”

“ଜାଣୁଚ, ତମେ ଆଜି ପାରିବ ନାହିଁ ରଖି ଉଭୟ କୁଳ

ଗୋଟିଏ କଥା ଆଜି ଗଭୀରତର କରି ମନରେ ତୁଳ ।

ରାଜାର ଦରବାରେ ତମର ପୁଅ କଥା ପଡ଼ିଲେ କାଲି

ବାରଶ ବଢ଼େଇର ମୁହଁରେ ନିଶ୍ଚୟ ଲାଗିବ କାଳି ।

ବାରଶ ବଢ଼େଇର ରଖିବ ଯଦି ମାନ ରଖିବ ମଥା

ପାଶୋରି ଦିଅ ଆଜି ପୁଅର ଆଶା ତବ ପୁଅର କଥା ।

ଦେଉଳ ତଳେ ଆଜି ପୁଅରେ ବଳିଦିଅ ଦେଖିବୁ ଆମେ

ଦେଉଳ ତୋଳିବାର କୀର୍ତ୍ତି ରହିଯିବ ଆମରି ନାମେ ।

ଭାଇରେ, ପୁଅ ଲାଗି ଆସୁଚି ଲୋଭ ଯଦି ଆସୁଚି ମନେ

ବାରଶ ବଢ଼େଇର ମୁଣ୍ଡ କାଟ ଜାଣି ଦେଖିବ ତମେ ।

ସେ ଲାଗି ପଚାରୁଚୁ ତୁମର କିବା କହ ଅଭିପ୍ରାୟ ?

ବାରଶ ବଢ଼େଇରେ ଦାୟ, କି ପୁଅରେ ଦାୟ ?”

ବଜ୍ରସମ ସେହି ବିଷମ ପ୍ରଶ୍ନର ତତ୍ତ୍ୱ ଶୁଣି

ବିଶେଇ ମହାରଣା ଭୟରେ ସେହିପରି ରହିଲା ତୁନି ।

ଘଡ଼ିକ ପରେ କହେ ବାଷ୍ପ-ଗଦଗଦ କମ୍ପ୍ର ସୁରେ

“ଦାରୁଣ କଥା ଆଜି ପକାଉଅଛ ଯାହା ମୋହରି ତୁଲେ ।

କହିଲ ଜାତିଭାଇ, କଅଣ କରିବି, ମୁଁ କହିଲ ଦେଖି

ମୋହରି ପ୍ରାଣୁ ବଳି ପ୍ରାଣଟି କେଉଁପରି ଦେବି ଯେ ଟେକି ?

ସେ ଦିନ ସିଏ ପରା ତମର ଆଖି ଆଗେ ଆସିଛି ଏଥେ

ଚିହ୍ନ ଆଣି ଆହା ଚିହ୍ନା ହୋଇଅଛି ମୋହରି ସାଥେ ?

କେଡ଼ିକି ବିକଳରେ ଆହା ସେ ଖୋଜି ଖୋଜି ପାଇଲା ମତେ

ଯୋଡ଼ିଏ ଦିନ ବୋଲି ରହିଛି ଉଷତରେ ଯୁଗକଗତେ ।

ସେ ଆଜି ଫିଟାଇଚି ଝରଣା ଏଇ ମୋର ମରମ ତଳେ

କରକା କାୟାପରି ପାଷାଣ ହିୟା ମୋର ମାୟାରେ ଗଳେ ।

କେସନେ କହ ଆଜି ହୋଇବି ଆତତାୟୀ କରୁଣାହୀନ

ଜାତିର ମାନ ଲାଗି ପୁଅରେ ବଳି ଦେବି ମୁହିଁ କଠିନ ?

କରିବ ଯାହା କର ମୋ ପ୍ରାଣ ନିଅ ପଛେ ହେ ଜାତିଭାଇ

ପୁଅରେ ବଳି ଦେଇ ପାରିବି ନାହିଁ ମୁହିଁ ପାରିବି ନାହିଁ ।

ତୁମେ ସେ ପଚାରୁଚ-ଅସଂସାରୀ କଥା ଏହା କି ନ୍ୟାୟ ।”

ବାରଶ ବଢ଼େଇରେ ନୁହେ, ମୋ ପୁଅରେ ଦାୟ ।”

ସହସା ନିମେଷକେ ଜନତା ଉହାଡ଼ରୁ ବାହାରି ପଡ଼ି

କହିଲା ନିର୍ଭୀକ ଶୌର୍ଯ୍ୟଭରା ବାଣୀ ହସ୍ତଯୋଡ଼ି ।

“ନାସ୍ତି କରନାହିଁ, ନାସ୍ତି କରନାହିଁ, ହେ ମୋର ପିତା,

ବାରଶ ବଢ଼େଇର ଇଚ୍ଛା ନୋହୁ ଆଜି ଭୂଲୁଣ୍ଠିତା ।

କୀରତି-ରଙ୍କ ମୁଁ ଜୀବନ-ରଙ୍କ ମୁଁ ନୁହଇ କେବେ

ଝଡ଼ର ତାଳେ ତାଳେ ଜୀବନ ପଥ ପରେ ଆସିଛି ଏବେ ।

ବାରଶ ବଢ଼େଇର ମନର ଯାହା ରୁଚି ତାହା ମୋ ରୁଚି

ଜଗତ ଅୟନରୁ ବିଶ୍ୱନୟନରୁ ଯିବି ମୁଁ ଲୁଚି ।

ଜାଣିବେ ନାହିଁ ମତେ ଜାଣିବେ ନାହିଁ ମତେ ଜଗତେ କେହି

ଦେଉଳ ଚୂଳେ ଚଢ଼ି ଦେଉଳ ମୂଳେ ଆଜି ପଡ଼ିବି ଡେଇଁ ।

ଅତୁଳ ଆଗ୍ରହେ ମୁଁ ମୋର କରିବି ଏ ଜୀବନ ଦାନ

ରାଜାର ଦରବାରେ ବାରଶ ବଢ଼େଇର ରଖିବି ମାନ ।

ହେ ପିତା କହିଦିଅ, ଏ ପଥେ ନୋହି ଆଉ ଅନ୍ତରାୟ

ବାରଶ ବଢ଼େଇରେ କେବଳ ମୋହର ଦାୟ ।”

ବାତୁଳ ପରି ତହୁଁ ବିଶେଇ ମହାରଣା ଆବେଗଭରେ

ପୁଅରେ ଜଡ଼ାଇଲା ନିବିଡ଼ ବନ୍ଧନେ ବୁକୁର ତଳେ ।

ନୟନୁ ବହିଗଲା ଶ୍ରାବଣଧାରା ପରି ଉଛୁଳା ଲୁହ

“ଜାଣୁଚି ଆଜି ମୁହିଁ ନୋହୁରେ ନୋହୁ ତୁହି ମୋହରି ପୁଅ ।

ଦେବତା ଆସିଥିଲୁ ଦେଉଳ ଗଢ଼ିଗଲୁ ଧରଣୀତଳେ

ଧରଣୀ ତିଳ ଛାଡ଼ି ପଳାଇ ଯାଉଅଛୁ ପୁଣି କି ଛଳେ ?

ମୁଁ କିଆଁ ହେବି କହ ତୋହରି ପଥ ପରେ ଅନ୍ତରାୟ ?

ବାରଶ ବଢ଼େଇରେ କେବଳ ମୋହରି ଦାୟ ।”

ଅଚିରେ କାଟି ପୁଣି ସେ କାଳ ଯାମିନୀର ତିମିର-ଜାଲ

ଅର୍କ ଦେଖାଦେଲେ ଚନ୍ଦ୍ରଭାଗାପଥେ ରାଗରେ ଲାଲ ।

ଉର୍ଦ୍ଧ୍ୱେ ମଥା ତୋଳି ଦେଉଳ ଗୋଟି ସିନା ରହିଚି ଠିଆ

ଦେଉଳ ତଳେ ଆଜି ମୃତ୍ୟୁ ବରିଅଛି ଅମର ହିୟା ।

ଦାରୁଣ ଅଭିଶାପ ଆଙ୍କି ଦେଲେ ଭାନୁ ଉଷ୍ଣଳରେ

ବାରଶ ବଢ଼େଇର ନାମରେ ଅପଯଶ ରହୁ ଭୂତଳେ ।

କାଳର ବୁକୁପରେ କାତରେ ବାଜୁଥିବ ହାୟ ରେ ହାୟ

“ବାରଶ ବଢ଼େଇରେ ଦାୟ କି ? ପୁଅରେ ଦାୟ ?”

Image

 

ବିସର୍ଜନ

 

ସଂଜ୍ଞାବିହୀନ ପ୍ରତାପରୁଦ୍ର

ରୋଗ ଶେଯେ

ବିଷମ ବେଦନା ପୂରିଅଛି ଦେହେ

ମହାତେଜେ ।

ପ୍ରିୟ ପରିଜନ ଚକିତ ନୟନେ

ଆକୁଳ ଅଥୟ ପୁର-ଅଙ୍ଗନେ

ସେବା ଶୁଶ୍ରୂଷା ଲାଗି ରହିଅଛି

ଅବିରଳ

ତିଳେ ହେଲେ ନାହିଁ ଅବସର ।

ରାଜବୈଦ୍ୟ ଦେଲେଣି ଅନେକ

ଔଷଧି

କିଞ୍ଚିତ ହେଲେ ଫଳ ଫଳି ନାହିଁ

ଏ ଅବଧି ।

ସୁପ୍ତ ଚେତନା ଜାଗୁନାହିଁ ଥରେ

ଲୁପ୍ତ ନାଡ଼ି ତ ଲାଗୁନାହିଁ କରେ,

ସବୁରି କଣ୍ଠୁ ଉଠଇ କାତର

ହାହାକାର

ନୟନୁ ଝରଇ ଲୁହଧାର ।

ମାତ୍ର ଦେଖୁଚି ଏକି ବିପରୀତ

ଯାଏ ଦେଖା

ତାରିଣୀ-ନୟନେ ସଞ୍ଚରେ ନାହିଁ

ଲୁହ-ରେଖା ।

ଅତିର ଶୟନ ଅନ୍ତିକେ ବସି

କେ ଜାଣି କାହିଁ ସେ ରହିଚି ଭରସି ।

ଥିର ଅଚପଳ ଆଖିର ତାରକା

ନୁହେ ଫିକା

ନିଶ୍ଚଳ ଯଥା ଦୀପଶିଖା ।

ପୂଜାରିଣୀ ପରି ଉଠିଲା ତାରିଣୀ

ଯୁବରାଣୀ

କୋରକିତ କରି ଊର୍ଦ୍ଧ୍ୱେ ତୋଳିଲା

ବେନି ପାଣି ।

“ଚିର ଲୀଳାମୟ ଆହେ ଭଗବାନ

ଘେନ ଏବେ ଘେନ ଏଇ ମୋର ପ୍ରାଣ ।

ପ୍ରିୟତମେ ମୋର କରିଦିଅ ଆଜି

ନିରାମୟ

ମାଗୁଛି ବେଦନା-ବିନିମୟ ।”

କଣ୍ଠର ବୀଣା ସ୍ତବ୍‍ଧ ହୋଇଲା

ପଲକରେ

ଜର୍ଜ୍ଜର ହେଲା ତନୁ ତା’ର ସ୍ୱେଦ

ଝଲକରେ ।

ରମ୍ଭାତରୁର ପତ୍ର ପରାୟେ

ଶିହରିଲା ବାଳା କମ୍ପିତ କାୟେ,

ପଡ଼ିଗଲା ମଣି-କୁଟ୍ଟିମତଳେ

ସୁନ୍ଦରୀ

ଯେସନେ ଛିନ୍ନ ବଲ୍ଲରୀ ।

ଅନ୍ତଃପୁରିକା ଠୁଳ ହୋଇଗଲେ

ଚତ୍ୱରେ ।

ସଂଜ୍ଞାହୀନାରେ ଉତ୍ତୋଳ ନେଲେ

ସତ୍ୱରେ ।

ଦେଖିଲେ ବିଷମ ଦୁଃସହ ତାତି

ଅଙ୍ଗଟି ସାରା ଉଠୁଅଛି ମାତି,

ପଲକେ ତାହାର ହସିତ ଫୁଲର

ତନୁରେଖା

ଅସିତ ବରଣ ଗଲା ଦେଖା ।

ନିଜ ଦେହେ ନେଇ ପରାଣପତିର

ରୋଗତାପ

ବରି ନେଲା ବାଳା ଚଣ୍ଡ ମରଣ-

ଅଭିଶାପ ।

ପ୍ରଭୁର ଚରଣ ମନେ ମନେ ପୂଜି

ଦୁଇଟି ଦିବସେ ଆଖି ଦେଲା ବୁଜି,

ଦୁଇଟି ଦିବସେ ମନ୍ତ୍ରିତ ପରି

ଦେଖ ଆଜ,

ରୋଗହୀନ ହେଲେ ଯୁବରାଜ ।

Image

 

ପ୍ରଭାବତୀର ଅଭିଯାନ

 

ପରିଣୟ ଶେଷେ ଧଳଭୂମି ଛାଡ଼ି ଦଳବଳ ଘେନି ସୁଖେ

ରଣପୁର ଯୁବରାଜ ଫେରୁଥିଲେ ରଣପୁର ଅଭିମୁଖେ ।

କପିଶା ନଦୀର ପାଶେ

ଶିବିର ପକାଇ ରହିଯାଇଥିଲେ ରାତ୍ରି ଯାପନ ଆଶେ ।

ଶୀକର-ଶୀତଳ ଶାନ୍ତ ସମୀର ପ୍ରୀତି-ଉପଚାର ପରି

ଶ୍ରାନ୍ତ ବିବାହ ଯାତ୍ରୀଦଳର ଶ୍ରମ ନେଉଥିଲା ହରି ।

କାନ୍ତ କୁହୁକବଳେ

ଶର୍ବରୀ ବାଳା ମନ ମୋହୁଥିଲା ଧ୍ୱାନ୍ତ ନିଚୋଳ ତଳେ ।

ବାରତା ମିଳିଲା-ବଙ୍ଗ-ନବାବ ଦର୍ପିତ ଅଭିମାନେ

ବୀର ବିକ୍ରମେ ବାହାର ହୋଇଚି ଉତ୍କଳ ଅଭିଯାନେ ।

ସମ୍ଭ୍ରମେ ତେଣୁ ଆଜ

ଉଦ୍‌ବେଗ ଭରେ ଗୌଡ଼ ନଗରେ ସାଜିଚି ଯୁଦ୍ଧସାଜ ।

ମୁଗ୍‌ଧ ବଧୂରେ ମଞ୍ଜୁମଧୁରେ ଭାଷିଲେ ତରୁଣ ପ୍ରାଣ

“ଜୀବନର ଆଜ ଅଭିସାରପଥେ ଡାକୁଅଛି ଅଭିଯାନ ।

ଆଗୋ ମୋର ମନୋରମା ।

ଜାଣିପାରୁଚ ତ ଆଗୋ ସଙ୍ଗିନୀ ଜୀବନର ପ୍ରିୟତମା ।”

ଶତ୍ରୁ ଏଣେ ତ ଗୋପନେ ଗୋପନେ ଗିରି କାନ୍ତାର ଭେଦି

ଗ୍ରାମ ଗ୍ରାମ ଧରି ଲୁଣ୍ଠନ କରି ସତ୍ୱରେ ଯିବ ଖେଦି ।

ଭାବୁଅଛି ସେଇ କଥା

ଅନ୍ତରେ ମୋର ଭରି ଉଠୁଅଛି ବିହ୍ୱଳ ଆକୁଳତା ।

କେଉଁପରି ଯିବ ଏଇ ସନ୍ଦେଶ କେଉଁ ପରି ଯିବ ସତି ।

କିପରି ଜାଣିବେ ଏହି ଉତ୍ପାତ ଉତ୍କଳ-ଗଜପତି ।

“କିଏ ନେବ ସମାଚାର ?”

ସ୍ୱଦେଶର ଲାଗି କିଏ ସେ ବରିବ ଏ ଗୁରୁ କର୍ମଭାର ?”

ପ୍ରବାଳ ଅଧରେ ବିକଶିତ କରି ଶୁଭ୍ର ମୁକୁତା ହାସ

ନବ ପରିଣୀତା କାନ୍ତା କହଇ ମଞ୍ଜୁମଧୁର ଭାଷ,

“ଚିନ୍ତା କରୁଛ ଯେବେ

ସ୍ୱଦେଶର ଲାଗି ଏଇ ଗୁରୁଭାର ନିଜେ ହେଉନାହିଁ ଏବେ ?”

“ଭାବୁଚ କି ପ୍ରିୟେ ରଣଭୀରୁ ମୁହିଁ ରଣପୁର ଯୁବରାଜ

ଏଇ ଗୁରୁଭାର ନିଜେ ନେବା ପାଇଁ କୁଣ୍ଠିତ ମୁହିଁ ଆଜ ।

ମାତ୍ର ଅୟି ଗୋ ପ୍ରିୟା

ତୁମରି ଚିନ୍ତା ତୁମରି କଥା ତ ଆକୁଳ କରୁଚି ହିୟା ।”

“ପୁରୁଷ ତୁମେ ତ ସ୍ୱଦେଶର ଲାଗି ଦର୍ପେ ଉଠୁଚ ଜାଗି

ରମଣୀ ମୋହର ଶକ୍ତି ନାହିଁ କି ନିଜର ରକ୍ଷା ଲାଗି ?

ବୃଥା ହେଉଅଛି ଭାଳି,

ପ୍ରଭାବତୀ ମୁହିଁ ବିକ୍ରମବତୀ ନୁହଇ ଅବଳା ନାରୀ ।

ନାରୀ ମୁଁ କି ଖାଲି ଫୁଲ ସୁକୁମାରୀ, ଫୁଲ-ବାଣ ଖାଲି ହାଣେ

ତୁମରି ପରାଏ ଧନୁ ଧରି କରେ ତୀର ମୁଁ ତ ମାରି ଜାଣେ ।

ଅଶ୍ୱବାହନେ ବସି

ଦୃପ୍ତ ସାହସେ ଶତ୍ରୁ ଗହନେ ସଞ୍ଚାଳି ପାରେ ଆସି ।

ପିତା ଯେବେ ମୋର ମୋଗଲ ସଙ୍ଗେ ରଣେ ଉଠୁଥିଲେ ମାତି

ବହୁ ବାର ମୁହିଁ ଯୁଦ୍ଧେ ଯାଇଛି ନିର୍ଭୟ ମୋର ଛାତି ।

ମୁହିଁ ବୀର ରାଜବାଳା

ଭାଗ୍ୟ ମୋହର ବୀର-ଗଳେ ପୁଣି ଦେଇଚି ବରଣମାଳା ।”

‘ଭାଗ୍ୟ ମୋହର’ଉଚ୍ଚାରି ବୀର ସୋହାଗ-ଚଟୁଳ ଭାଷେ

ପ୍ରିୟାରେ ଉରସେ ଅଶ୍ଳେଷି ନେଲେ ବଳୟିତ ବାହୁପାଶେ ।

“ଭାଗ୍ୟ ମୋହର ସହି,

ମୁଁ ତେବେ ଯାଉଚି ତୁମେ ଏ ଶିବିରେ ନିର୍ଭୟେ ଥାଅ ରହି ।”

କଜ୍ୱଳ-ନିଭ ନିଶାର ନିକଷତଳେ ନ ହେଉଣୁ ଲେଖା

ସୁର-ନନ୍ଦିନୀ ଉଷାରୂପସୀର ଉଜ୍ଜ୍ୱଳ ହେମରେଖା,

ଉଦ୍‌ବେଗ ଭରା ସୁଖେ

ସୈନିକବର ଘୋଟକ ବାହନେ ଛୁଟିଲେ କଟକ ମୁଖେ ।

ଯୁବରାଣୀ ଏଣେ ଚଞ୍ଚଳ ସେଇ ରାତ୍ରି ନୋହୁଣୁ ଶେଷ

ଚାରିଜଣ ଦାସୀ ସଙ୍ଗତେ ନିଜେ ଧରିଲେ ପୁରୁଷ ବେଶ ।

ପ୍ରଭାତେ ବାହାର ହୋଇ

ସଙ୍ଗେ ଘେନିଲେ କରବାଳଧାରା ପଞ୍ଚ ଅଶ୍ୱାରୋହୀ ।

ଉତ୍କଳର ସେ ତାମ୍ରଲିପ୍ତି ଅଞ୍ଚଳେ ଘୂରି ଘୂରି

ଥିର ଅଚପଳ ବିଦ୍ୟୁତ ପରି ଗ୍ରାମେ ଗ୍ରାମେ ବୁଲି ବୁଲି,

ପ୍ରଭାବତୀ ଯୁବରାଣୀ

ପରାଣେ ପରାଣେ ଜାଳିଦେଲେ ଖର ଦୀପ୍ତ ଅନଳବାଣୀ ।

“ଜାଗ୍ରତ ହୁଅ ଧୀବରବାହିନୀ ଜାଗ୍ରତ ହୁଅ ଆଜ

ଶତ୍ରୁ ହେଲାଣି ଅଙ୍ଗନେ ଆସି ପିନ୍ଧରେ ରଣସାଜ,

ସ୍ୱଦେଶମାତାର ଲାଗି

ବିପଦ ଆଗମେ ବୀର ବିକ୍ରମେ ଉଠରେ ଉଠରେ ଜାଗି ।”

ତାମ୍ରଲିପ୍ତି ଧୀରେବାହିନୀ ସହସା ଉଠିଲେ ତାତି

ଅଙ୍ଗେ ବହିଲେ ଅଭୟ ସାଞ୍ଜୁ ଚିତ୍ତେ ଉଠିଲେ ମାତି ।

ଯୋଦ୍ଧା ପାଇକକୁଳ

ଗଙ୍ଗାନଦୀର ଦକ୍ଷିଣ ପାଶେ ଉଦ୍‌ବେଗେ ହେଲେ ଠୁଳ ।

ନବାବ ବାହିନୀ ଆସି ଯେତେବେଳେ ଗଙ୍ଗାର ଆରପାରେ

ଶିବିର ଥାପିଲେ ପର୍ଣ୍ଣ-ଗହଳ ଆମ୍ରବନର ଧାରେ,

ଚିନ୍ତା-ବିହୀନ ବୁକେ

ବିଶ୍ରାମସୁଖ-ସ୍ୱପ୍ନେ ମାତିଲେ ଉଲ୍ଲାସ କଉତୁକେ ।

ସ୍ତବ୍‌ଧ ନୀରବ ନିଶୀଥ ରାତ୍ରେ ସୁପ୍ତ ଶିବିରେ ପଶି

ଉତ୍କଳସେନା ଉଲ୍ଲୋଳ ମନେ ଚାଳିଲେ ଦାରୁଣ ଅସି,

ଅପୂରୁବ ଜାଗରଣ

ସ୍ତବ୍‌ଧ ନୀରବ ନିଶୀଥେ କ୍ଷୁବ୍‌ଧ ଲହରେ ଜାଗିଲା ତୁମୁଳ ରଣ ।

ପ୍ରଭାତେ ଯେକାଳେ ଧରା ଚୁମ୍ବିଲା ଅରୁଣ ରଶ୍ମିମାଳା

ଅତୁଳ ଯୁଦ୍ଧ ମତ୍ତ ହୋଇଲା ବହିଲା ରକ୍ତ ଧାରା

ହେଲା ଅତି ଉଚ୍ଛଳ

ରଙ୍ଗାବରଣ ଧାରଣ କରିଲା ଗଙ୍ଗା ନଦୀର ଜଳ ।

ବିପୁଳ ବାହିନୀ ସଙ୍ଗତେ ଘେନି ଉତ୍କଳ-ଗଜପତି

ଶତ୍ରୁ ଉପରେ ଚଢ଼ାଉ କରିଲେ ବୀର ବିକ୍ରମେ ଅତି ।

ଦୃପ୍ତ କୃପାଣ ଧରି

ଦୀପ୍ତ ସାହସେ କ୍ଷିପ୍ତ ରଭସେ ହାଣିଲେ ଅମିତ ଅରି ।

ଲହରିତ ସେଇ ସୈନ୍ୟ-ସାଗର ଯବନବାହିନୀ ହେରି

ଆକୁଳ ପରାଣେ ତ୍ରସ୍ତ ଚରଣେ ପଳାଇଲେ ପ୍ରାଣ ଧରି ।

ସଂଗ୍ରାମଭୂମିମୟ

ଉଚ୍ଚେ ଉଠିଲା “ଜୟ ଉତ୍କଳ-ଯୁବରାଜ ଜୟ ଜୟ ।”

ବିପୁଳ ବିଜୟ କୋଳାହଳ ଶୁଣି ଉଦ୍‌ବେଗ ଭରା ଚିତେ

ଉତ୍କଳନାଥ ବିସ୍ମୟଭରେ ଚାହିଁଲେ ଉଚ୍ଚକିତେ-

“କିଛି ବୁଝି ହେଉନାହିଁ

ଯୁବରାଜ ସେ ତ ଦୂରେ ବହୁଦୂରେ କଟକ ସହରେ ଯାଇ ।”

ସତ୍ୱରେ କିବା ଅନ୍ତରେ ଭାବି ରଣପୁର-ଯୁବରାଜ

ଘୋଟକ ଛୁଟାଇ ନୟନେ ଦେଖିଲେ ପ୍ରିୟାର ଯୋଦ୍ଧୃସାଜ ।

ଭାଷିଲେ ହର୍ଷଭରେ,

“ଧନ୍ୟ ଗୋ ପ୍ରିୟା, ତବ ଲାଗି ଆଜି ଧନ୍ୟ ମୁଁ ଧରାପରେ ।”

ଅଚିରେ ତରୁଣ ଦମ୍ପତି ମିଳି ଉତ୍କଳନାଥ ପାଶେ

ଉତ୍କଳନାଥ-ଚରଣପଦ୍ମ ବନ୍ଦିଲେ ଉଲ୍ଲାସେ ।

ବିସ୍ମିତ ଗଜପତି

ଅନାଇ ରହିଲେ ଚକିତ ନୟନ, ସ୍ତବ୍‌ଧ ସ୍ତିମିତ ମତି ।

ବିସ୍ମୟ ଦୂର କରି ଚଞ୍ଚଳ ମୁକୁଳିତ କରି ବ୍ୟାଜ

ସସ୍ମିତ ଚାରୁ ଅଧରେ ଭାଷିଲେ ରଣପୁର-ଯୁବରାଜ ।

“ମୁଗ୍‌ଧ ବଧୂ ଏ ମୋର

ଉତ୍କଳ ଯୁବରାଜ ବେଶେ ଆଜି କରିଚି ଯୁଦ୍ଧ ଘୋର ।”

ଉଲ୍ଲାସ ଭରା ଅନ୍ତରେ ତହୁଁ ଉତ୍କଳ ଗଜପତି

ଭାଷିଲେ ମଧୁର ଆଶିଷବଚନ ପରମ ଆଦରେ ଅତି ।

“ଧନ୍ୟ ଧନ୍ୟ ତୁମେ

ଉତ୍କଳ-ବଧୂ ବିଜୟିନୀ ଆଜି ହୋଇଛି ସମରଭୂମେ ।

ଦମ୍ପତି ତୁମେ ମୋହଲାଗି ଆଜି ବରି ନବ ଅଭିଯାନ,

ଘୋର ସଙ୍କଟେ ରଖିଚ ଗର୍ବ ରଖିଚ ମୋହର ମାନ ।

ହେଉଅଛି ଏହିକ୍ଷଣି

ଯୁବରାଜ, ଘେନ ‘ନରେନ୍ଦ୍ର’ ପଦ, ଯୁବରାଣୀ, ‘ନାଗମଣି ।”

Image

 

ମଦନମଣିର ଗାନ

 

ଆଠଗଡ଼ ଭୂପ

ବାଲୁକେଶ୍ୱର ପାଶେ

କବି ରାୟଗୁରୁ

ଜଣାଇଲେ ଧୀର ଭାଷେ ।

“ଲଳିତ ମଧୁର

ମଦନମଣିର ଗାନ

ଶୁଣିଅଛି ଯିଏ

ଜଗତେ ଭାଗ୍ୟବାନ ।”

ଜଣାଇଲେ ନରରାଜ,

“ସାନ୍ଧ୍ୟ ଲଗନେ ଗାନ ବାଦନର

ଆୟୋଜନ ହେଉ ଆଜ ।”

ନିଦାଘ ନିବାସ

ନଗର-ପ୍ରାନ୍ତ-ଭାଗେ

କେତକୀ କୁଞ୍ଜ

ଚାରୁ ସୁଷମାରେ ଜାଗେ ।

ମଞ୍ଜୁଳ ପୁଣି

ନାଗେଶ୍ୱର ଉପବନ

ପୁଷ୍ପ ବିଭବେ

ଝଲସଇ ସୁଶୋଭନ ।

ଅଙ୍ଗନତଳେ ତା’ର

ଗାନ ବାଦନର ଉତ୍ସବ ବସେ

ରୁଚିର ଚମତ୍କାର ।

ଦିବାଶେଷେ ଯେବେ

ଶ୍ରାନ୍ତିନାଶିନୀ ନିଶି

ଝଳିଲା ଶୁକ୍ଳ ସୁହାସେ

ହସାଇ ଦିଶି ।

ବିନୋଦ-ବିହାର

ନିଦାଘ-ନିବାସେ ଯାଇ

ପାରିଷଦ ସହ

ବିଜେକଲେ ନରସାଇଁ

ଗାୟକ ମଦନମଣି

ରାଜବିନୋଦନେ ମିଳିଲା ସଘନେ

ନବ ଉଦ୍‌ବେଗ ଗଣି ।

ଜୋତ୍ସ୍ନା ରାତିର

ଯୋଗ୍ୟ ଦାୟାଦ ତୁଲ

ଫୁଟି ଉଠୁଥିଲା

ଗନ୍ଧ-ମଧୁର ଫୁଲ ।

ମନ୍ଦ ମରୁତ

ଗନ୍ଧ-ବିଭୂତି ଧରି

ବିଭୋର ଆଦେଶେ

ପ୍ରାଣ ଦେଉଥିଲା ଭରି ।

ଗାୟକ ମଦନମଣି

କଣ୍ଠ ତୋଳିଲା କମ୍ପିତ କରି

ନୀରବ ନିଥର ବନୀ ।

ମୁଗ୍‌ଧ ଧିଆନେ

ଚିତ୍ର ପିତୁଳା ସମ

ଶୁଣୁଥିଲେ ରାଜା

ଶୁଣୁଥିଲେ ସଭାଜନ

ଶୁଣୁଥିଲେ ପୁଣି

ବନର ପାଦପଲତା

ଅନ୍ତରେ ଲଭି

ଅଭିନବ ମଧୁରତା ।

ମୁଗ୍‌ଧ ହରିଣୀ ଏକ

ଧୀର ଧୀର ପଦେ ଆଶ ପାଶେ ଆସି

ଛିଡ଼ା ହୋଇଗଲା ଦେଖ ।

କଳ କଣ୍ଠର

ଲଳିତ ମଧୁର ଗାନ

ଦଣ୍ଡକେ ଯେବେ

ହୋଇଗଲା ଅବସାନ;

ଦେଖିଲା ଜନ ସେ

ନୁହଇ ତାହାର ବନ,

ଶର ସମ କଲା

ଖରତରେ ପଳାୟନ ।

ଉଛୁଳିଲା କଳରବ

ମଦନମଣିର ବନ୍ଦିତ ହେଲା

ସଙ୍ଗୀତ-ଗଉରବ ।

ମଉନ ନୃପତି

ଆପଣା ଆସନ ଛାଡ଼ି

ମଦନମଣିର

ଅନ୍ତିକେ ଗଲେ ଚାଲି,

କଣ୍ଠର ନବ

ରତ୍ନହାରଟି କରେ

ପିନ୍ଧାଇ ଦେଲେ

ମଦନମଣିର ଗଳେ ।

“ଧନ୍ୟ ତୁମର ଗଳା

ସେଇ ଗଳେ ଏବେ ମଣ୍ଡିତ ହେଉ

ଏ ମୋର ରତ୍ନମାଳା ।”

ଉତ୍ସୁକେ ଚାହିଁ

କବି ବଳଦେବ ମୁଖେ

ବାଲୁକେଶ୍ୱର

ଭାଷିଲେ ପରମ ସୁଖେ ।

“ଆହେ କବି, ତୁମେ

ଦିବ୍ୟ ପ୍ରତିଭାବାନ

କରିଅଛ ପୁଣି

ପ୍ରତିଭାର ସନ୍ଧାନ ।

ଗୁଣୀରେ ଜାଣଇ ଗୁଣୀ

ଗୁଣର ଆଦର କରୁ ସିନା ଆମେ

ପଛେ ତା’ର ଗୁଣ ଶୁଣି ।”

Image

 

ବାଇମୁଣ୍ଡି

 

ଦଶ ଶ’ ବରଷ ତଳେ

ନଥିଲା ତ ଏଇ ପଥର ବନ୍ଧ କାଠଯୋଡ଼ୀ-ନଈକୂଳେ ।

ବରଷା ଋତୁରେ କାଳ ସୁଅପରି ବନ୍ୟାର ଜଳ ଆସି,

ବରଷ ବରଷ କଟକ ପାଖଟା ଦେଇ ଯାଉଥିଲା ଗ୍ରାସି ।

ଆଖିର ପଲକେ ଚରି ଯାଉଥିଲା ଶହ ଶହ ଘର ଦ୍ୱାର

ନିର୍ମଳ କରି ଦେଉଥିଲା କେତେ ସଂକୁଳ ପରିବାର ।

ଶହ ଶହ ଲୋକ ଆର୍ତ୍ତ ଆଖିରୁ ଲୁହ ଦେଉଥିଲେ ବାହି,

କୂଳବୁଡ଼ା ସେଇ ବନ୍ୟା ଜଳରେ ମିଶିଯାଉଥିଲା କାହିଁ ।

ଶହ ଶହ ଲୋକ ସାହା ବାହା ବିନା କରୁଥିଲେ ଆହା ଆହା

ବନ୍ୟା ଜଳର ଘୋଓ ଘୋଓ ଘୋଷେ ହଜି ଯାଉଥିଲା ତାହା ।

ସେତେବେଳେ ଏକା ହେ ବାଇମୁଣ୍ଡି ସେତେବଳେ ଏକା ତମେ

କଟକର ସେଇ ଦୁର୍ଗତି କଥା ଭାବୁଥିଲ ମନେ ମନେ ।

ସଞ୍ଜ ସକାଳେ ବୁଲି ବୁଲି ତମେ କାଠଯୋଡ଼ି’ ନଈ ତଟେ

କେତେ କଳପନା ଲେଖି ଯାଉଥିଲ ଅମାନିଆ ହିୟାପଟେ ।

ଧନ୍ୟ ତୁମେ ହେ କବି,

ତୁମରି ପ୍ରାଣର ଛନ୍ଦ ଧରିଚି ପଥର ବନ୍ଧ ଛବି ।

ସେ ଦିନ ଏକାକୀ ଆହେ ବୀର ତୁମେ ସାହାସେ ବାନ୍ଧି ହିଆ

ରାଜା ମରକତ କେଶରୀ ଛାମୁରେ ନିର୍ଭୟେ ହେଲ ଠିଆ ।

ଜଣାଇଲ, “ମହାରାଜ,

ଗୋଟିଏ ଗୁହାରୀ କରିବା ପାଇଁ କି ବୃଦ୍ଧ ଆସିଚି ଆଜ ।

ଏଇ ବିଡ଼ାନାସୀ କଟକ ଭିତରେ ପୁରୁଣା ଚାଷୀ ମୁଁ ଜଣେ

ଦୁଃଖ ଜଞ୍ଜାଳେ ମୋର ଦିନ ବାହି ପଡ଼ିଥାଏ ଘର କଣେ ।

ବୟସ ତ ଆସି ପୂରା ଚାରିକୋଡ଼ିଁ ବରଷ ହେଲାଣି ମୋର ।

କାଠଯୋଡ଼ୀ ପରି ମୋ ବଳ ବହପ ନେଲାଣି ବିଶ୍ୱ-ଚୋର ।

ବରଷ ବରଷ ଧରି

ଏଇ ମୋର ଦିହେ ନିଭାଇଚି ମୁହିଁ କେତେ କେତେ ନଈବଢ଼ି ।

ନଈର ଏ ପଟେ ପ୍ରତି ବରଷ ମୁଁ କରୁଚି ବହୁତ ଚାଷ

ସୁଖରେ କିନ୍ତୁ ଖାଇବାକୁ ମୁଠେ ମିଳେ ନାହିଁ ବାରମାସ ।

ସବୁ ତ ଖାଉଚି ସବୁ ତ ନଉଚି ଏଇ କାଠଯୋଡ଼ୀ ନଈ

ବରଷଟାଯାକ ଖଟି ଖଟି ଖାଲି ହାଲିଆ ହେଉଚି ମୁହିଁ ।

କିନ୍ତୁ ମଣିମା ସେଇଥି ସକାଶେ ନାହିଁ ମୋର ଜମା ଦୁଃଖ

ହରଘଡ଼ି ଖାଲି ଗୋଟିଏ ଚିନ୍ତା କାଟୁଚି ଏ ମୋର ବୁକ ।

ଦିନ ତ ମୋହର ବେଶୀ ନାହିଁ ଆଉ ଏଇ ଯେ ସରିବ ଆସି

ଭାବୁଚି କେମିତି କଟକ ରହିବ ରହିବେ କଟକବାସୀ ।

ଓଡ଼ିଶା ଦେଶର ମଥାମଣି ହୋଇ ବସିଥିଲା ଯେ ସହର

ବସାଇ ଥିଲେ ଯେ ଆମ ବୁଢ଼ା ରାଜା ସବୁ ହେବ ନିଷ୍ଫଳ ।

ବରଷ ବରଷ ବଳି ପଡ଼ୁଚି ତ ବନ୍ୟାର ମହାଦାଉ

ଏଇ ବିଡ଼ାନାସୀ କଟକ ସହର କେମିତି ରହିବ ଆଉ ?

ଧର୍ମର ଅବତାର

କାତର ବୁକେ ଏ ବୃଦ୍ଧ ମାଗୁଛି ଦୁଃଖର ପ୍ରତିକାର ।”

ବିସ୍ମିତ ରାଜା ସସ୍ମିତ ମୁଖେ ମରମପୁଟେ କି ଭାବି

କହିଲେ, “ବୃଦ୍ଧ, ଗୁହାରି ନୁହଇ ଇଏ ତ ତୁମର ଦାବି ।

ପରଜା ସକାଶେ ବାଧ୍ୟ ମୁଁ ରାଜା ବାଧ୍ୟ ମୋ ସରକାର

ତମ ହିତଲାଗି କରାହେବ ସବୁ ଯେତେ ଯାହା ଦରକାର ।

ଏକା ଏକା ଆସି ଜଣାଇଚ ତମେ ରାଜ୍ୟର ହିତ ପାଇଁ

ବାକ୍ୟ ଦେଉଚି ତମର କଥା ତ ଅନ୍ୟଥା ହେବ ନାହିଁ ।

କାଠଯୋଡ଼ି କୂଳେ ବନ୍ଧାଇ ଦେବି ପଥର ବନ୍ଧ ଏକ

ଯୁଗ ଯୁଗ ଧରି ରଖିବ ତାହା ଏ କ ଟକ ସହର ଟେକ ।”

ମହାରାଜା ଯହୁଁ ତମରି ସମୁଖେ କରିଦେଲେ ପରକାଶ

ମଳିନ ତମର ଶୁଷ୍କ ଅଧରେ ଚହଟି ଉଠିଲା ହାସ

ଫୁଟିଲା ତା’ ସାଥେ ଭାଷା,

“ସେତିକି ମୋହର ଇଚ୍ଛା ହେ ରାଜା, ସେତିକି ମୋହର ଆଶା ।”

ରାଜାର ଆଦେଶେ ଅଳପ ଦିବସେ ରାଜକୋଷ ହେଲା ଜୂର

ହଜାର ହଜାର ରାଜ ପଥୁରିଆ ମୂଲିଆ ହୋଇଲେ ଠୁଳ ।

ମୂଲ ଲାଗି ହାୟ ଢାଳି ଦେଇଗଲେ କେଡ଼େ ବଡ଼ ପ୍ରତିଦାନ

କାଠଯୋଡ଼ି କୂଳେ ଯୋଡ଼ି ଦେଇଗଲେ ପଥର ଛାତିଟିମାନ ।

ଆଜ ଆହା ଦିନ ରାତି

ଠିଆ ହୋଇଅଛି ପଥର-ବନ୍ଧ ବନ୍ୟାକୁ ବୁକୁ ପାତି !

ଆହେ ମରକତ ଓଡ଼ିଶା ରାଜନ

ଆହେ ନାମହୀନ ମଜ୍‌ଦୁର୍‌ଗଣ

ସଭିଏ ବନ୍ଦନୀୟ,

ପ୍ରଥମେ କିନ୍ତୁ ହେ ବାଇମୁଣ୍ଡି, କବିର ଅର୍ଘ୍ୟ ନିଅ ।

Image

 

ମଣି-କାଞ୍ଚନ ଯୋଗ

 

ଜୈତ୍ର ପତାକା ଉଡ଼ାଇ ସେଦିନ

ମୁକ୍ତ ସମୀର ଲହରେ,

କାଞ୍ଚିବିଜୟୀ ପୁରୁଷୋତ୍ତମ

ଫେରିଲେ ଆପଣା ନଅରେ ।

ମନ୍ତ୍ରୀରେ ଡାକି ଦର୍ପେ ଭାଷିଲେ

“କାଞ୍ଚି ହୋଇଚି ଚୂର୍ଣ୍ଣ,

ତଥାପି ମୋହର ମରମ ତଳର

ବାସନା ହୋଇନି ପୂର୍ଣ୍ଣ ।

ଚଣ୍ଡାଳ ରାଜା ବୋଲି ମୋତେ ସେ ଯେ,

କରିଥିଲା ଅବମାନନା

ଅଦ୍ୟାପି କାହିଁ ପୂର୍ଣ୍ଣ ହୋଇନି

ସେଇ ପ୍ରତିଶୋଧ କାମନା ।

ଦୁଃସହ ସେଇ ଆଗ୍ନେୟ ଶିଖା

ଚିର ଅବିନାଶ ଧରମେ

ହୁତ୍‌ହୁତ୍‌ ହୋଇ ରାତ୍ରି ଦିବସ

ଜଳୁଛି ମୋହର ମରମେ ।

ବନ୍ଦୀ କରି ମୁଁ ଆଣିଅଛି ଏ ଯେ

ସୁନ୍ଦରୀ ରୂପଧନ୍ୟା

ଅତି ଅଭାଗିନୀ ରୂପାମ୍ବିକା ଏ

କାଞ୍ଚିରାଜାର କନ୍ୟା ।

ଚଣ୍ଡାଳବର ଅନୁସନ୍ଧାନି

ଅର୍ପ ଏହାକୁ ତୂର୍ଣ୍ଣ,

ମରମ ତଳର ବାସନା ମୋହର

ତେବେ ଯାଇ ହେବ ପୂର୍ଣ୍ଣ ।”

“ଯେ ଆଜ୍ଞା” କହି ମୃଦୁ କମ୍ପନେ

ଥରାଇ କଣ୍ଠ-ତନ୍ତ୍ରୀ

ରୂପାମ୍ବିକାରେ ସଙ୍ଗତେ ଘେନି

ବିଦାୟ ଘେନିଲେ ମନ୍ତ୍ରୀ ।

ନୀଳାଚଳେ ଧାମେ ସେ ବରଷ ଯେବେ

ହେଲା ଗୁଣ୍ଡିଚା ଯାତ୍ରା

ରାଜପଥ ପରେ ଉଛୁଳି ପଡ଼ିଲା

ଉତ୍ସବ-ଶିରୀ-ମାତ୍ରା ।

ରଥ ପରେ ମହାପ୍ରଭୁ ମେଲିଥିଲେ

ମହାପୁଣ୍ୟର ପସରା

ଚଣ୍ଡାଳବେଶେ ଉତ୍କଳଭୂପ

କରୁଥିଲେ ଛେରାପହଁରା ।

ମନ୍ତ୍ରୀ ସହସା ରାଜସମ୍ମୁଖେ

ଛିଡ଼ା ହୋଇ ନବ ରଭସେ

ଜଣାଇଲେ ଧୀର ନିର୍ଭୀକ ବାଣୀ

ଅନ୍ତରଭରା ସାହସେ ।

“ଜଗନ୍ନାଥର ଚଣ୍ଡାଳ ଛାମୁ

ଜଗନ୍ନାଥର ସେବକ,

ଧରାତଳେ ଛାମୁ ଚଣ୍ଡାଳବର

ଭାବୁଛି ମୋହର ବିବେକ ।

ରାଜାଦେଶ ଆଜି ପୂର୍ଣ୍ଣ ହୋଇଚି

ଆଉ ନାହିଁ ମୋର ଭାବନା;

କାଞ୍ଚିଜେମା ଏ ରୂପାମ୍ବିକାରେ

ଘେନା ହେଉ ଏଇ ଯାଚନା ।”

ନିର୍ବାକ ରାଜା ଅନାଇ ରହିଲେ

ମୁଗ୍‌ଧ ଚକିତ ଚକ୍ଷେ

କାଞ୍ଚିଜେମାର ବରଣମାଲ୍ୟ

ଶୋହିଲା ନଗନ ବକ୍ଷେ ।

ମନ୍ଦ୍ର ଆରବେ ମୂର୍ଚ୍ଛି ଉଠିଲା

ଜନତା କଣ୍ଠ-ତନ୍ତ୍ରୀ

“ଜୟ ଆଜି ଜୟ ରାଜଦମ୍ପତି

ଜୟ ଜୟ ରାଜମନ୍ତ୍ରୀ ।”

Image

 

ଇଙ୍ଗିତ–

 

ବିଶ୍ୱ-ଜୀବନ-ପଥେ

 

କବିତାଟିର ବିଷୟବସ୍ତୁ ଷୋଡ଼ଶ ବାର୍ଷିକ “ସମାଜ”ଗୋପବନ୍ଧୁ ଶ୍ରାଦ୍ଧସଂଖ୍ୟାର “ଦୁଇଟି ଦିନର କଥା”ରୁ ଗୃହୀତ । ତାହା ଗୋପବନ୍ଧୁଙ୍କ ଜୀବନର ଓ୧୯୦୪ ର ଘଟନା ।

 

ମରିନାହିଁ ସେ ତ ମରଣ-ଜୟୀ

 

ମରଣଜୟୀ ‘ସନତାନ’ ଆଜି ଆଉ ଉତ୍କଳରେ ଅପରିଚିତ ନୁହେ । ସନାତନ କଥାଟି ଦ୍ୱିଜେନ୍ଦ୍ର ନାଥ ନିୟୋଗୀଙ୍କ “True tales of India life’ ପୁସ୍ତକରେ ପ୍ରଥମେ ପ୍ରକାଶିତ ହୋଇଥିଲା ।

 

ଭାଇ

 

ଶଂସିତ ଗଳ୍ପଭାଗ ‘କୋଶଳ ଇତିହାସ’ରୁ ଗ୍ରହଣ କରିଅଛି ।

 

ବୀରରାଣୀ ଶୁକଦେଈ

 

ମୃତ୍ୟୁଞ୍ଜୟ ରଥଙ୍କର ‘ନାରୀଦର୍ପଣ’ ଓ ‘ବାଙ୍କି-ଇତିହାସରୁ’ ବିଷୟବସ୍ତୁଟି ଗୃହୀତ ।

 

ବିସର୍ଜ୍ଜନ

 

ରାଧାନାଥଙ୍କ ଗ୍ରନ୍ଥାବଳୀରେ ‘ପ୍ରତାପରୁଦ୍ର ଦେବ’ ନାମରେ ଗୋଟିଏ କ୍ଷୁଦ୍ର କବିତା ଅଛି-। ସେ କବିତାରେ ତାରିଣୀର ଚିତ୍ର ବଡ଼ ଚିତ୍ତାକର୍ଷକ ଓ ଉଜ୍ଜ୍ୱଳ–ତାହାହିଁ ମୋର କବିତାର କଳେବର-

 

ପ୍ରଭାବତୀର ଅଭିଯାନ

 

କବିବନ୍ଧୁ ଗୋଦାବରୀଶ ମହାପାତ୍ରଙ୍କ ‘କୀର୍ତ୍ତିମାଳା’ରେ ଏ କଥାଟି “ଧଳଭୂମି ରାଜକନ୍ୟା” ନାମରେ ପ୍ରକାଶିତ ହୋଇଅଛି ।

 

ମଦନମଣିର ଗାନ

 

ପଣ୍ଡିତ କୁଳମଣି ଦାଶ ତାଙ୍କର ସମ୍ପାଦିତ ‘କବିସୂର୍ଯ୍ୟ ଗ୍ରନ୍ଥାବଳୀ’ର ଭୂମିକାରେ ଗାୟକ ମଦନମଣିର ନାମୋଲ୍ଲେଖ କରିଅଛନ୍ତି । ତାକୁଇ କେନ୍ଦ୍ର କରି ଏ ଗଳ୍ପର ସୃଷ୍ଟି ।

 

ମଣିକାଞ୍ଚନ ଯୋଗ

 

କାହାଣୀରେ ଚଳି ଆସୁଅଛି, ପଦ୍ମାବତୀ କାଞ୍ଚିଦେଶର ରାଜଜେମା, ପୁରୁଷୋତ୍ତମଙ୍କ ପତ୍ନୀ । ମାତ୍ର ‘ସରସ୍ୱତୀ-ବିଳାସ’ ଗ୍ରନ୍ଥରୁ ଜଣାଯାଏ ପଦ୍ମାବତୀ ପୁରୁଷୋତ୍ତମଦେବଙ୍କ ପୁତ୍ର ପ୍ରତାପ-ରୁଦ୍ରଙ୍କର ପତ୍ନୀ । କର୍ଣ୍ଣାଟ ରାଜକୁମାରୀ ରୂପାମ୍ବିକା ପ୍ରତାପରୁଦ୍ରଙ୍କ ମାତା । ତେଣୁ ମୁଁ ‘ପଦ୍ମାବତୀ’ ପରିବର୍ତ୍ତରେ ‘ରୂପାମ୍ବିକା’ ନାମ ରଖିଅଛି ।

Image